Odia Stories

ଆଶାର ଆଲୋକ

ଶୀତଦିନ, ରାତି ପ୍ରାୟ ବାରଟା ପଚିଶ ହେବ ଫୋନ୍ ରିଙ୍ଗ ହେଲା। ଫୋନ୍ ଟି ଭାଇବ୍ରେସନ୍ ରେ ଥିବାରୁ ତକିଆ ସହ ଦେବାନନ୍ଦ ବାବୁ ଙ୍କ କମ୍ବଳ ବି ଥରି ଉଥିଲା। ବୁଝିବା ବାକି ନଥିଲା ଫୋନ୍ ଟି କିଏ କରିଥିବ, କାରଣ ତାଙ୍କ ଝିଅ ରିନି ର ଏଇଟା ଫୋନ୍ କରିବାର ସମୟ। ବିଦେଶ ରେ ଏବେ ଯେ ଦିନ ହେଇଥିବ, ବୋଧ ହୁଏ ମଧ୍ୟାନ୍ନ…। ଚିରାଚରିତ ଢଙ୍ଗରେ ଫୋନ୍ ରିସିଭ୍ କରି କଥା ହେଲେ। ହେଲେ ଏଥର ଭଲମନ୍ଦ କଥା ସହ ଥିଲା ଆଉ ଏକ ଖୁସି ଖବର। ଆଉ ପାଞ୍ଚ ଦିନ ପରେ ରିନି ଓଡିଶା ଫେରିବ ସବୁଦିନ ପାଇଁ। ଏତେ ବଡ଼ ଖୁସି ଖବର ଟେ ଶୁଣି ବାବୁ ଙ୍କୁ ଆଉ ନିଦ ହେଲାନି। ଉଠିଯାଇ ପଢ଼ା ଟେବୁଲ ପାଖେ ବସିଲେ। ନୋଟ ବୁକ୍ ଟିଏ ଆଣି ଲିଷ୍ଟ କରିବାରେ ଲାଗିପଡିଲେ।ଏତେ ବର୍ଷ ପରେ ଝିଅ ତାଙ୍କର ଘରକୁ ଫେରିବ ସେଥିପାଇଁ କେତେ କଣ ପ୍ରସ୍ତୁତି କରିବାକୁ ପଡ଼ିବ ଯେ। ଆଗ ଘର ସଫାସଫି ହେବ। ଏକୁଟିଆ ରହୁଛନ୍ତି ବୋଲି ବିଶେଷ ଯତ୍ନ ନେଇପାରନ୍ତିନି ଘରଟିର। ଝଡା଼ ପୋଛା କରିବାକୁ ମାଳ ଆସେ ଯେ ହେଲେ, କଣ କେତେ କାମ କରେ ସେ ଏତେ ଧ୍ୟାନ ଦିଅନ୍ତିନି। ସଜ ଫୁଲ କିଛି ଆସି ଘର ସଜା ହେବ,ରିନି କୁ ଫୁଲ ବହୁତ ପସନ୍ଦ। ପାଖ ଗାଁ ରୁ ଦେଶୀ ମାଛ, ଚିଙ୍ଗୁଡ଼ି ଟିକେ ମଗାଯିବ। ବଗିଚାର ଦୋଳିଟି ଛିଡି ଯାଇଛି, ମରାମତି କରିବାକୁ ହେବ।ରିନି କୁ ବଗିଚାରେ ଦୋଳି ରେ ବସି ଚା’ ପିଇବାକୁ ଭଲଲାଗେ…। ଏମିତି କେତେକଣ ଲେଖିଗଲେ ସେ ତାଲିକା ରେ।
   ହଠାତ ଗମ୍ଭୀର ଦିଶିଲା ତାଙ୍କ ମୁହଁ, ରିନି ର ମୁହଁ ଟା ଭାସି ଆସିଲା ତାଙ୍କ ଆଖି ଆଗରେ I ରିନି ତାଙ୍କ ଝିଅ ନହେଲେ ବି ଝିଅ ଠୁ ବଳି I ଜୀବନ ରେ ଏକା ଏକା ଗୋଟେ ପିଲାକୁ ପାଳିବା କେତେ କଷ୍ଟ, ଅଙ୍ଗେ ନିଭେଇଛନ୍ତି ସେ I ସ୍ତ୍ରୀ ନାହିଁ I ଏ ଛୁଆଟି ପାଇଁ ବାହା ହେଇ ନାହାନ୍ତି ସେ I କେଜାଣି ତାଙ୍କ ସ୍ତ୍ରୀ ୟା କୁ ନିଜ ଝିଅ ପରି ପାଳିଥାନ୍ତା କି ନା I ଭାବୁ ଭାବୁ ସେ ଚାଲି ଯାଉଥିଲେ ତିରିଶ ବର୍ଷ ତଳକୁ I ଆଜି ପ୍ରାୟ ତିରିଶ ବର୍ଷ ପରେ ଦେବାନନ୍ଦ ବାବୁ ଙ୍କ ମାନସ ପଟକୁ ଜବରଦସ୍ତି ପଶିଆସୁଛି ଅତୀତର ସେଇ ଅଭୁଲା ଘଟଣା ଯାହାକୁ ସେ ଯେତେ ଚେଷ୍ଟା କଲେମଧ୍ୟ ଆଦୌ ଭୁଲି ପାରୁନାହାନ୍ତି କିମ୍ବା ଭୁଲିବାକୁ ଚାହୁଁ ନାହାନ୍ତି I ରିନି କୁ ବି ସେ ବାରମ୍ବାର ମନେ ପକେଇ ଦିଅନ୍ତି ଏ ଘଟଣା ଟି I ଲୁଚେଇ ନାହାନ୍ତି ସେ କିଛି ବି ରିନି ପାଖରେ I
ସୁଦୂର ରାୟଗଡ଼ାର ପାହାଡ଼ ସବୁଜିମା ଘେରା ଆଦିବାସୀ ଇଲାକା ଟିଏ। ଛୋଟ ଛୋଟ ପଡା ସବୁ, ଝାଟିମାଟି କାନ୍ଥ କୁ ନୁଆଁଣିଆ ଚାଳ ଛପର ଘର। ମାଟି କାଦୁଅ ପଚପଚ ରାସ୍ତା, ଯିବା ଆସିବାର ବିଶେଷ ସୁବିଧା ନାହିଁ କହିଲେ ଚଳେ। ସେଇ ନିପଟ ମଫସଲ ଅପନ୍ତରା ରେ ସେ ଥାଆନ୍ତି ଡାକ୍ତର ହେଇ। ନାଁ କୁ ମାତ୍ର ଡାକ୍ତର, କାରଣ ସ୍ୱାସ୍ଥ୍ୟକେନ୍ଦ୍ର କୁ ରୋଗୀ କେହି ଆସନ୍ତିନି। ଲୋକେ ସବୁ ଅନ୍ଧବିଶ୍ୱାସରେ ବୁଡିରହି ଝଡା଼ଫୁଙ୍କା, ଓଝା ବଇଦ ପାଖକୁ ଯିବେ। ଭଲ ତ ହେବେନି, ଓଲଟା ଦହଗଂଜ ହେଇ ମରିବେ।ସେଥିପାଇଁ  ଦେବାନନ୍ଦ ବାବୁ ଅବିରତ ଚେଷ୍ଟା କରୁଥାନ୍ତି ଲୋକଙ୍କୁ ସଚେତନ କରିବା ପାଇଁ। ହେଲେ ଖୁବ୍ କମ ଲୋକ ବୁଝିପାରନ୍ତି ତାଙ୍କ କଥାର ମର୍ମ। ସାଙ୍ଗରେ ଥାଏ କମ୍ପାଉଣ୍ଡର୍ ନିଧିଆ।ସେଦିନ ସଂଧ୍ୟା ରେ ରୁମ୍ ବାହାରେ ବାବୁ ନିଧିଆ ସହ ବସିଥାନ୍ତି, ଦିନସାରା ଚାଲି ଚାଲି ଅନେକ  ବାଟ ଯାଇଥିଲେ ଭାରି। ଚା’ କପେ ଧରି ଥକ୍କା ମେଣ୍ଟଉ ଥିଲେ।ସେତିକି ବେଳେ ଗୁରେଇ ଆସି ଡାକିଲା, ବାବୁ! ବାବୁ!
ଗୁରେଇ, ତାଙ୍କ ଡାକ୍ତରଖାନା ଓଳାଓଳି କରେ, ବାବୁ ଙ୍କ ବୋଲହାକ ଶୁଣେ, ଅଗଣା ରେ ଥିବା ଛୋଟ ବଗିଚା ଟିର ଯତ୍ନ ନିଏ..। ନିଧିଆ ଠୁ ଶୁଣିଥିଲେ ଗୁରେଇ ଯାହାକୁ ପ୍ରେମ କରୁଥିଲା ସେ ପିଲାଟି ୟାକୁ ଛାଡ଼ି ସହରକୁ ଚାଲିଗଲା। ହେଲେ ସେତେବେଳ କୁ ଗୁରେଇ ଦୁଇ ମାସର ଗର୍ଭବତୀ। ଗାଁ ଲୋକ ଙ୍କ ଛି’ଛାକର କୁ ନିଘା ନକରି ସେ ପଡ଼ା ରୁ ଚାଲିଆସିଲା, ଏଇ ଡାକ୍ତରଖାନା ପାଖ ବସ୍ତିକୁ। ସେବେଠୁ ସେ ଡାକ୍ତରଖାନା କୁ ନିଜ ଘର ମଣିନେଲା। ହେଲେ ଏ ଅବେଳରେ ଗୁରେଇ ଏଠି କଣ ପାଇଁ??? ସେ ଭୁଲି ଯାଇଥିଲେ ଏ ଘଟଣା କୁ ପ୍ରାୟ ସାତ ମାସ ବିତି ଗଲାଣି I
କେଇ ମୁହୂର୍ତ୍ତରେ ତାଙ୍କର ଯାଣିବା ବାକି ରହିଲାନି ଯେ ଗୁରେଇ ଏବେ ଗର୍ଭ ଯନ୍ତ୍ରଣା ରେ ଜର୍ଜରିତ। I କେଉଁ କ୍ଷଣି ନବଜାତ ଶିଶୁଟି ଏଇ ସୁନ୍ଦର ଦୁନିଆର ଆଲୋକ ଦେଖିବ..। ଦେବାନନ୍ଦ ବାବୁ ନିଧିଆ କୁ କହି ସବୁ ବ୍ୟବସ୍ଥା କରିଦେଲେ। ହେଲେ ଗୁରେଇ ଏ ବେଳରେ ଠାକୁରଙ୍କୁ ନଡାକି ଖାଲି ଗୋଟିଏ କଥା କହୁଥାଏ, ‘ବାବୁ ଯଦି ମୋର କିଛି ହେଇଯାଏ ତାହେଲେ ଆପଣ ଏ ପିଲାଟିକୁ ନିଘା ରଖିବେ…’।
ସଂଧ୍ୟା ଯାଇ ରାତି ନଅଟା ହେଲା। ତଥାପି ଗୁରେଇର କଷ୍ଟ ଲାଘବ ହେଉନଥାଏ। ଦେବାନନ୍ଦ ବାବୁ ସହରକୁ ଖବର ଦେଲେ। ଏ ଅପନ୍ତରା ଅଞ୍ଚଳରେ ଏଇ ଛୋଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଟିରେ ଗୁରେଇର ଅବସ୍ଥା ସମୟ କୁ ସମୟ ଅସମ୍ଭାଳ ହେଉଥାଏ। ମା’ଲୋ….ମରିଗଲି ଲୋ…ମରିଗଲି ଲୋ… ରଡିରେ ଶୁନ୍ ଶାନ୍ ଯାଗାଟି ପ୍ରକମ୍ପିତ ହେଉଥାଏ। ହଠାତ ସବୁ ଠପ୍ ହେଇଗଲା। କିଛି ସମୟର ନିରବତା କୁ ଚିରି ନବଜାତ କନ୍ୟା ଟିଏ ତା କୁଆଁ କୁଆଁ ଡାକରେ ଆହ୍ଲାଦିତ କରିଦେଲା। ହେଲେ ହାୟ ହତଭାଗିନି ଗୁରେଇ ଟା ସବୁଦିନ ପାଇଁ ଆଖିବୁଜିଦେଲା।
କଅଁଳା ଛୁଆ ଟିକୁ ହାତରେ ଧରି ବଡ଼ ବିଷମ ପରିସ୍ଥିତି ରେ ପଡ଼ିଗଲେ ଦେବାନନ୍ଦ ବାବୁ। ପରଦିନ କନ୍ୟାରତ୍ନ ଟିକୁ ସାଙ୍ଗରେ ଧରି ଫେରିଆସିଲେ ନିଜ ସହରକୁ। ଘରେ ଏକା ତାଙ୍କ ମା I ବାପା ତାଙ୍କୁ ଛାଡ଼ି ଯାଇଛନ୍ତି ଅନେକ ଦିନୁ। ଛୁଆ ଟିକୁ ଦେଖି ମା’ତାଙ୍କର ଚକିତ ହେଲେ। ସତ କହିଲେ ବି ବିଶ୍ୱାସ କଲେନି। ଆଶା ଥିଲା ଛୁଆ କୁ ମା ପାଖେ ଛାଡ଼ି ସେ ପୁଣି ନିଜ ଚାକିରୀ ଜାଗାକୁ ଫେରିଯିବେ। ହେଲେ ଏଠି ସବୁ ଓଲଟ ପାଲଟ ହେଇଗଲା। ମା ଏମିତି ଗୋଟେ କଥା କୁ ଅନ୍ୟଅର୍ଥ ରେ ନେଇ ସହିପାରିଲେନି, ରାତିରେ ଶୋଇଲେ ଯେ ଆଉ ଉଠିଲେନି। ଶେଷରେ ଦେବାନନ୍ଦ ବାବୁ ଚାକିରୀ ଛାଡ଼ି ସହର ରେ ଗୋଟିଏ କ୍ଲିନିକ ଖୋଲିଲେ। ସ୍ଥିର କଲେ ବିବାହ କରିବେନି, ଏକା ଏକା ପାଳିବେ ତାଙ୍କ ଝିଅକୁ। ଉଭୟ ବାପା ମା’ର ସ୍ନେହ ଶ୍ରଦ୍ଧା ତାକୁ ଦେଇଛନ୍ତି। ହେଲେ ଲୁଚେଇ ନାହାନ୍ତି ତାପାଖେ ତା’ ମା’ର ସଂଘର୍ଷର ଗାଥା। ଏବେ ଝିଅ ତାଙ୍କର ବିଦେଶ ରୁ ଡାକ୍ତରୀ ପାଠ ସାରି ଫେରିଆସିବ ଆଉ ପାଞ୍ଚଦିନ ପରେ। ଦେବାନନ୍ଦ ବାବୁ ଙ୍କ ସ୍ବପ୍ନ କୁ ସାକାର କରିବ I ସେଇ ମଫସଲ ରେ ଭଲ ଡାକ୍ତରଖାନା ଟିଏ କରିବ। ଯେଉଁଠି ସେ କାହାକୁ ବି ମରିବାକୁ ଦବନି ତା’ ମା ପରି I
-ସରସୀ ଆଚାର୍ଯ୍ୟ-
ଖଣ୍ଡଗିରି, ଭୁବନେଶ୍ୱର

2 thoughts on “ଆଶାର ଆଲୋକ

Leave a Reply

Your email address will not be published. Required fields are marked *