Odia Stories

“S”- ଗୋଟେ ଫୁଲପକା ରୁମାଲ୍ ର ଗପ


କଲେଜ ପାଖରେ ସବୁଦିନ ପରି ଭିଡ। ସମସ୍ତେ ନିଜ ନିଜ କାମରେ ମସଗୁଲ। ଗୁପଚୁପ ଵାଲାକୁ ଘେରି ରହିଛନ୍ତି ଦଳେ ଝିଅ। ମହୁଫେଣା କୁ ମହୁମାଛି ଘେରିଲା ପରି।ସମୟ ବୋଧେ ସାଢ଼େ ଗୋଟେ ପାଖାପାଖି ହେବ।ଶୁଭମ ବାଇକ ପାର୍କ କଲା କଲେଜ ପାଖ ଚା’ ଦୋକାନକୁ ଲାଗି ଚାଳିଆରେ। ଗାଡି ଆଇନା ରେ ନିଜକୁ ସାଜଡି ନେଇ, ବ୍ୟାଗରୁ ବାହାର କଲା, ସଜଫୁଟା ଗୋଲାପଟିଏ। ହାତରେ ଗୋଲାପ ଧରି ଅପେକ୍ଷା କଲା ତନିଶା ର।

ଭିଡ ଭିତରୁ ଚିହ୍ନା ଚେହେରାଟି ଫୁଟି ଦିଶେ। ଯେମିତି ତାରା ଙ୍କ ମେଳରେ ପୂର୍ଣ୍ଣମୀ ର ଇନ୍ଦୁ। ସେ ଖୁସିରେ ସାଇକେଲଟି ଗଡାଇ ସାଙ୍ଗ ମାନଙ୍କ ସାଙ୍ଗେ କଥା ହେଇ ଚାଲି ଆସୁଛି।ତାକୁ ଦେଖି ଶୁଭମ ହଜିଗଲା କୋଉଠି। ମନ ଭିତରେ କିଏ ଗୋଟେ ଗିତାର ବଜାଇ ଗାଏ
” ଦେଖା ଜୋ ତୁଝେ ୟାର,
ଦିଲ ମେ ବଜି ଗୀତାର”

ତନିଶା, ତନୁପାତେଳି ସାବେନି ଝିଅଟେ। ଗୋଲମୁହଁ, ଲମ୍ବାନାକ, ଲିପ୍ସଟିକ ଲଗା ମିଠା ହସଟେ। ବାଁ ହାତରେ ଲେଡିଜ ଘଣ୍ଟା, ଆଉ ଆର ହାତରେ ଦି ପଟ ଚୁଡି। ଆଖି ଯୋଡିକ ଏତେ ଲୋଭନୀୟ ଯେ, ଶୁଭମ କେବେ ଠାରୁ ତା ମାୟାରେ ପଡି ସାରିଛି। ଜୀବନ ସାରା ସେଇ ଆଖିରେ ବୁଡି ରହିବ ବୋଲି ଭାବିଛି। କେତେ ଥର କହିଛି ତା ମନ କଥା ତନି କୁ।ତନି କଣ କିଛି ବୁଝେନା? ନ ତା ମନରେ ଆଉ କିଏ ଅଛି। ଯାହା ବି ହେଉ ଉତ୍ତର ଟେ ଆଜି ନେଇକି ଯିବ ସେ।

ଭାବନାରେ ପୂର୍ଣ୍ଣଛେଦ ପଡେ, ତନି ଯେବେ ତା’ ଆଗ ଦେଇ ଚାଲିଯାଏ କିଛି ବାଟ। ଆଉ ସେ ନିଦରୁ ଉଠିଲା ପରି ତା ପଛେ ଧାଇଁଯାଏ। କଅଁଳ ବାଛୁରୀ ଟେ ପରି।

ତନିକୁ କହିଲା ମନର କଥା। ତନି ହସି ଦେଇ ଚାଲି ଯାଉଥିଲା। ସେ ବାଟ ଜଗି ପଚାରିଲା – ତନି ତୁ କ’ଣ ସିରିୟସ ନୁହଁ?ହସି ଉଠିଲା ତନି ,କହିଲା- ସିରିୟସ କ’ଣ ପାଇଁ ହେବି?
– ଆମ ରିଲେଶନଶୀପ କୁ ନେଇ…
– ହା ହା ଆରେ ପାଗଳ ତୋ ସାଙ୍ଗେ ପ୍ରେମ କରି ମୁଁ ବି. ପାଗେଳି ହେବି ନ କ’ଣ?
ଶୁଭମ ଏବେ ଅନୁରୋଧ କରିଲା ପରି କହିଲା,
– ବହୁତ ହେଇଗଲା ଥଟ୍ଟାମଜା ଏବେ ତ ଟିକେ ଚିନ୍ତା କର …
– ଦେଖ ସେ ପ୍ରେମ ଫ୍ରେମ କଥା ମତେ କହନା ତୁ। ତା ଠୁ ବହୁତ ଦୂରରେ ମୁଁ। ତା ଛଡ଼ା ତୋ ପାଇଁ ସେମିତି କିଛି ନାହିଁ ମୋ ମନରେ। ମୋ ମନର ମଣିଷ ଜଣକ ପାଖରେ, ଏ ମଥା ଆପେଆପେ ନଇଁ ଯିବ। ତୋ ପରିକା ଏମିତି ଗୋଡେଇ ଗୋଡେଇ ପ୍ରୋପୋଜ କରୁ ନଥିବ ।
କଥା ଗୁଡା ତୀର ପରି ଗଳିଗଲା ଶୁଭମ ଛାତିରେ। କାନମୁଣ୍ଡା ଝାଇଁ ହେଇଗଲା ଅପମାନରେ। ଶରବିଦ୍ଧ ପକ୍ଷୀଟି ପରି କ୍ଷତାକ୍ତ ହେଲା ହୃଦୟ। ଆଉ ସେ ଚାଲିଗଲା ସେଠାରୁ।

ନିଆଁରେ ଜଳିବା କଥା ଜାଣିବି ପତଙ୍ଗ ଟି ଝାସ ଦିଏ । ଶୁଭମ ବି ସେୟା କଲା। ସେ ଭୁଲି ପାରିଲାନି ତନି କୁ। ସେ ଚୁପଚାପ ତନିକୁ କଲେଜ ଗେଟ ପାଖେ ଦେଖି ଚାଲିଯାଏ। ତନି ବି ଜାଣିପାରେ ଏକଥା। ଦିନେ ଶୁଭମ ଦେଖେ ଆକାଶ ତନି କୁ କଣ ସବୁ କହୁଛି। ଯାହା ନିହାତି ଶୃତିକଟୁ। ତନି ଶୁଣି ବି ନୀରବ ରହୁଛି। ଅନେକ ଥର ଏମିତି ହେଇଛି। ପ୍ରତ୍ୟାଖ୍ୟାନର ବ୍ୟଥା ଠାରୁ ପ୍ରେମିକାର ଅପନିନ୍ଦା ଭାରି ଯନ୍ତ୍ରଣାଦାୟକ। ଆଉ ସହି ହେବନି ଏତେ କଥା।

ରାସ୍ତା ମଝିରେ ତିନି ଜଣ। ଶୁଭମ , ତନି ଆଉ ଆକାଶ । ଶୁଭମ ଧରିଛି ଆକାଶ ର କଲାର ଆଉ ଛିଣ୍ଡି ଯାଇଛି ସାର୍ଟର ଦି ଟା ବୋତାମ। ଆଉ ତା ଓଠରୁ ରକ୍ତ ଝରୁଛି। ଶୁଭମ ଆଖିରେ ରାଗ, କଣ ପାଇଁ ଏତେ ରାଗ କେଜାଣି? ମୂର୍ତିଟେ ପରି ସବୁ ଦେଖୁଚି ତନି। ଆକାଶ ମାଡ଼ ଖାଇ ଚାଲିଛି। ଲୋକ ମାନେ ଘେରି ରହିଛନ୍ତି ସେମାନଙ୍କୁ। ଏଥର ମୁଁହ ଖୋଲିଲା ତନି, ବନ୍ଦ କର ଏସବୁ। ଆକାଶ ପ୍ଲିଜ। ଶୁଭମ ତୁ କ’ଣ ଭାବୁଛୁ? ମୁଁ ତୋତେ ଭଲ ପାଇବି? ନା କେବେ ନୁହେଁ। ମୁଁ ଆକାଶ କୁ ଭଲପାଏ।

ପାଦତଳୁ ମାଟି ଖସିଗଲା ଯେମିତି।ଛାଡିଦେଲା ମାରପିଟ । ଛଳଛଳ ଆଖିରେ ଚାଲି ଆସିଲା ହଷ୍ଟେଲକୁ। କବାଟ ବନ୍ଦ କରି, ତକିଆରେ ମୁଁହ ମାଡି ଅନେକ ସମୟ ଯାଏ କାନ୍ଦିଲା। କାହିଁକି ଏତେ ସେ ଭଲ ପାଇଲା, କୋଉ ଅଧିକାର ନେଇ?
ବିକଟାଳ ସାଇରାନ ବଜାଇ ,ଲାଲବତୀ ଗାଡିଟେ ଆସିଲା ହଷ୍ଟେଲ କୁ।ଗିରଫ ହେଲା ଶୁଭମ । ଝଗଡା, ହତ୍ୟା ଉଦ୍ୟମ ପରି ସଂଗୀନ ଅପରାଧରେ ।ମୁହଁ ତଳକୁ କରି ଗାଡ଼ିରେ ବସିଲା ସେ। ପୁରା ହଷ୍ଟେଲ ତାକୁ ଦେଖୁଥିଲେ। ସମସ୍ତେ ସ୍ତବ୍ଧ, କେତେ ଟୁପୁରଟାପୁର କଥା। ଟାହି ଟାପରା ତା ନାଁରେ । ଆଲୋଚନାରେ ଏବେ ଖାଲି ଶୁଭମ । ତନି ବି ଜାଣିସାରିଲାଣି ବୋଧେ ।

ଦଣ୍ଡ ପାଇଥିବା ଶିଶୁ ଟେ ପରି ମୁହଁ ତଳକୁ କରି ଠିଆ ହେଇଛି ଶୁଭମ । କାହାକୁ ସମ୍ଭାଳିବ ପ୍ରେମିକାର ଧିକାର ନା ଏଇ ପରିସ୍ଥିତି, ଅନେକ ପ୍ରଶ୍ନବାଚୀ ତା ମନରେ। ଶର୍ମିଷ୍ଠା ଚୌଧୁରୀ, ସଦର ଥାନାର ଭାରପ୍ରାପ୍ତ ଅଧିକାରୀ।ଦେଖିବାକୁ ସୁନ୍ଦରୀ, ସାମାନ୍ୟ ଉଚ୍ଚା, ମଧ୍ୟମ ସ୍ୱାସ୍ଥ୍ୟ, ଦେହର ରଙ୍ଗ ହଳଦୀ,ସାମାନ୍ୟ ଭିଜା ଭିଜା ଲାଗେ ଆଖି ଦି ଟା। ଆଖି ପତା ଗୁଡା ବି ବେଶ ଲୋଭନିୟ। ଓଠ କୁ ହସ ଆସିଲେ ବି ଚାପି ଦିଅା ଯାଏ, ଛୋଟ ପିଲାର ଦୁଷ୍ଟାମୀକୁ ନାଲି ଆଖି ଦେଖେଇଲା ପରି। ଶୁଭମ ର ଚିବୁକରେ ରୂଲ ବାଡ଼ି ଲଗେଇ ପଚାରିଲେ,
– ତୁମ ନାଁ?
– ଶୁଭମ ମହାପାତ୍ର
– ବ୍ରାହ୍ମଣ?
ଛୋଟ ହଁ ଟେ କଲା ଶୁଭମ ।
– ତମେ ତାକୁ କାହିଁକି ମାରିଲ?
ଚୁପ ରହିଲା ସେ। କଣ ଉତ୍ତର ଦେବ ଏମାନଙ୍କୁ। ଉତ୍ତରର ମୂଲ୍ୟ କଣ ବୁଝିବେ ଏମାନେ?ଆଉ ଥରେ ପଚାରିଲେ ମ୍ୟାଡାମ ।ତଥାପି ଚୁପ। ଗର୍ଜି ଉଠିଲେ ସେ, ତମକୁ କଣ ଶୁଭୁନି? କଲେଜ ଆସିକି ଗୁଣ୍ଡାଗିରି ଚଳେଇଛ। କେହି ଜଣେ କନେଷ୍ଟବଳ କହିଲା, ଆଜ୍ଞା, ପ୍ରେମ ପାଇଁ ଝଗଡା। ସେ ଝିଅକୁ ଆର ଟୋକା କଣ କହିଲା, ଇଏ, ହିରୋ ହେଇ ଡେଇଁ ପଡ଼ିଲା । ଗାଲ ଚିପି ଦେଲେ କ୍ଷୀର ବାହାରିବ ଇଏ ପୁଣି ପେରେମ କରୁଛି।ମୁହଁ ତଳକୁ କରି ଶୁଭମ ସବୁ ଶୁଣୁଥିଲା। ଉତ୍ତର ନ ପାଇ ରୂଲ ବାଡ଼ିରେ ଗୋଟେ ଜୋରେ ପିଟିଲେ ତା ବାହୁକୁ। ତାକୁ କାଟିଲାନି ଵୋଧେ । ସେ କେମିତି ବୁଝିବେ ଭିତର ଯନ୍ତ୍ରଣା ଆଗେ, ଏଇ ଯନ୍ତ୍ରଣା କିଛି ନୁହେଁ ବୋଲି। ପାହାର ପରେ ପାହାର ଦେଇ ଚାଲିଲେ ମ୍ୟାଡାମ। ସେ ସେମିତି ଠିଆ ହେଇ ଥିଲା। ନା ଲୁହ, ନା ଟିକେ ଓଃ। ବାକ୍ ଶକ୍ତି ଚାଲି ଯାଇଛି ଯେମିତି ତାର। ବାଡେଇ ବାଡେଇ ଥକି ଗଲେ ଶର୍ମିଷ୍ଠା ମ୍ୟାଡାମ । ହଜାତ ରେ ବନ୍ଦ କରିଦେଲେ ତାକୁ। ବାଧ୍ୟ ଶିଶୁ ପରି ପଡି ରହିଲାସେ, ଗୋଟିଏ କୋଣରେ। ତା ଗତିବିଧି ଦେଖନ୍ତି ମ୍ୟାଡାମ।ପଚାରି ବୁଝନ୍ତି ତା କଥା।

ରବିବାର ଦିପହର,ଥାନା ପ୍ରାୟେ ଫାଙ୍କା ଥାଏ। ବୋଧେ ସେଦିନ କ୍ରିକେଟ ମ୍ୟାଚ ଥିଲା। କୁଆଡେ ଯାଇଥିଲେ ମ୍ୟାଡାମ ଆସି ପହଁଚିଲେ। ଶୁଭମ କୁ ଡକେଇଲେ, କନେଷ୍ଟବଳ ହାତରେ। ଶୁଭମ ବୁଝିଗଲା ଆଜି ପୁଣି ଅସରାଏ ରାଗ ସୁଝିବ ତା ଉପରେ।ନିଜକୁ ପ୍ରସ୍ତୁତ କରିନେଲା ମାଡ଼ ଖାଇବାକୁ।

ଆସିଲା ଶୁଭମ ଅଫିସ ଭିତରକୁ, ଅନୁମତି ନେଇ। ନମସ୍କାର ଟିଏ କଲା।ଆଉ ଆଖି ତଳକୁ କରି ଠିଆ ହେଲା । ଝଡ଼ ପୂର୍ବର ନୀରବତା ପରି ପୁରା ଶୁନଶାନ କୋଠରୀଟି। କଥା ଆରମ୍ଭ କଲେ ଶର୍ମିଷ୍ଠା ଦେବୀ।
– କଣ ପ୍ରେମ ନିଶା ଛାଡ଼ିନି? ନିଜକୁ କଣ ବୋଲି ଭାବିଚ? ହିରୋ!! କଣ ପାଇଲ ଏମିତି କରିକି? ସେ କଣ ଆସିଲା କି ଥରେ ଦେଖିବାକୁ? ତମେ ଯାହା ପାଇଁ ଚୁପ ସେ ଆଉ କାହା ସଙ୍ଗେ ସିନେମା ଯାଉଛି।ଆଉ ତମେ… ତା ପାଇଁ ମଜନୁ ସାଜି ମାଡ଼ ଖାଉଛ। ଏକତରଫା ପ୍ରେମରୁ ଅପରାଧର ଆରମ୍ଭ।କ୍ୟାରିୟର କଥା ଚିନ୍ତା କର, କଣ ମିଳିବ ଏ ପ୍ରେମ ଫ୍ରେମ ରୁ।
ନୀରବ ରେ ଦି ଟୋପା ଲୁହ ଝରିଗଲା ତା ଆଖିରୁ।ତନି ଏମିତି କରିପାରେ? ଶର୍ମିଷ୍ଠା ଦେବୀ ଯେତେ କଠୋର ହେଲେ ବି ନାରୀ ଟିଏ ନା! ଚାକିରି ଉଠିଆସି ଠିଆ ହେଲେ ଶୁଭମ ପାଖେ। ପଚାରିଲେ କଣ କଷ୍ଟ ହେଉଛି? ତଥାପି ସେ ଚୁପ। ଯେମିତି କଥା ନହେବାକୁ ରାଣ ଖାଇଛି। ତା ନୀରବତା , ତା ଆଖି ଲୁହ ବହୁତ କିଛି କହୁଥିଲା। ଏ ନୀରବତା ଟି ବେଳେ ବେଳେ ସତ୍ୟର ଉନ୍ମୋଚନ କରିପାରେ। ତା ପିଠି ରେ ହାତ ରଖି ମ୍ୟାଡାମ କହିଲେ – ଯୌବନରେ ଭରା ଭରା ଦେହ, ଗୋରା ତକତକ ଚେହେରା, ନାଲି ନାଲି ହସ, ଲାଞ୍ଜିଟଣା ଆଖିର ମାୟାରେ ସମସ୍ତେ ପାଗଳ ହୁଅନ୍ତି।ପରିଶେଷରେ ପାଆନ୍ତି କଣ? ଧୋକାର କାଦୁଅ ଛିଟା! ଯାହାର ବ୍ୟଥା ସାରା ଜୀବନ ଥାଏ, ମନ ତଳେ। ଯେତେ ମଲମ କି ପଥିରେ ଭଲ ହୁଏନି ସେ।
ପ୍ରେମ ବିରୁଦ୍ଧରେ ଏତେ କଥା ଶୁଣି ହେବନି ଆଉ। ସେ ଏତେ କମଜୋର ନୁହେଁ। ଏଥର ମୁହଁ ଖୋଲିଲା ଶୁଭମ।
– କାଳ ବୈଶାଖୀରେ ବଗିଚା ଉଜୁଡିଲେ କଣ ଫୁଲ ଗଛ ଫୁଲଦେବା ବନ୍ଦ କରିଦିଏ? ନା ଅଭିମାନରେ ଶୋଇପଡେ? ସେ ବି ତ ସାଲିସ କରିନିଏ ସମୟ ସହିତ। କେବେ ତା କାହା ପାଖେ ପ୍ରତାରିତ ବୋଲି ପରିଚୟ ଦିଏନା।ବରଂ ହସି ହସି ପୁଣି ସୃଜନୀ ର କାହାଣୀ ଲେଖେ।ଯୌବନ ଆସିଲେ ମନରେ କଳ୍ପନା ବସା ବାନ୍ଧେ।ଆଖି କୁ ଦୁନିଆ ନୂଆ ନୂଆ ଲାଗେ। ସମସ୍ତେ ସୁନ୍ଦର ଦିଶନ୍ତି। ମନଲାଖି ଚେହେରା ଟେ ମିଳିଗଲେ,ତାକୁ ନେଇ ମନ ସ୍ବପ୍ନ ଦେଖେ। କିଛି ନ ବୁଝି ରହିଯାଏ ମନ ତା ପାଖେ। ତାକୁ ନେଇ କେତେ କଳ୍ପନା କେତେ କବିତା। କଥାକୁହା ଏ ଆଖି, ଯାହାର ଆଖି ଯେତେ ସୁନ୍ଦର, ମନ ଟା ଠିକ ସେମିତିକା। ମନ କଥା ଆଖି କହେ। ନ କହି ପାରିଲେ ଏମିତି ପାଗଳ ହୁଏ। ମନ ଦେବା ପାପ ନୁହେଁ। ଏକ ତରଫା ପ୍ରେମ ମାନେ, ନିଜ ମନ ଦେଇ ନିଜ ପ୍ରିୟ ମନରେ ଜାଗା ଟିକେ ପାଇବାର ଚେଷ୍ଟା।କାହା ପାଖେ ନିଜ ଅସ୍ତିତ୍ବ ନଜାଣି ସମର୍ପି ଦେବାର ଦୁଃସାହସ। ତା ସୁଖଦୁଃଖ ରେ ନିଜକୁ ସାମିଲ କରିବାର ଦୁର୍ବାର ଇଚ୍ଛା ଟିଏ।

ପ୍ରେମ ପ୍ରବଚନ ଶୁଣି ମ୍ୟାଡାମ ରାଗିଗଲେ।କିନ୍ତୁ କଥା ଗୁଡିକ ତାଙ୍କ ମନରେ ଲାଗିଗଲା କୋଉଠି। କଲେଜ ପଢୁଆ ପିଲାଟି ପ୍ରେମ ବିଷୟରେ ଏତେ ଜାଣେ କେମିତି! ଜଣଙ୍କୁ ପୁଣି ଏତେ ଭଲପାଉଛି ଯେ ତା ନାଁ ବି କହୁନି।ଏତେ ମାଡ଼ ଗାଳି ପରେ ବି। ଥମ୍ କରି ବସି ପଡିଲେ ମ୍ୟାଡାମ।କନେଷ୍ଟବଳ କୁ ଡାକି ଶୁଭମ କୁ ନେଇ ଯିବାକୁ କହିଲେ। ଶୁଭମ ନୀରବ ରେ ଚାଲିଗଲା। ଅପ୍ରତ୍ୟାଶିତ ଉତ୍ତର ଟେ ପାଇ ମ୍ୟାଡାମ ହତବାକ୍ । କୋଉଠି ଗୋଟେ ସଜଫୁଟା କଳିଟେ ଅପେକ୍ଷା କରିଥିଲା, ଫୁଲ ହେଇ ବାସ୍ନା ବିଞ୍ଚିବାକୁ। କେହି ଜଣେ ଛୁଇଁଗଲା ମନ ବୀଣା ର ତାର କୁ। ଚିନ୍ତା କଲେ ସେ, ବେଶ କିଛି ସମୟ ଯାଏ।

ଏଥର ଶୁଭମ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଗଲା ତାଙ୍କର। ଏବେ ସେ ହସିବା ଆରମ୍ଭ କଲେଣି।ନିଜକୁ ସଜେଇବା ଶିଖିଲେଣି। ବେଳେ ବେଳେ ଥାନା କୁ ଖାକି ବ୍ୟତିରେକ ଘରୋଇ ପୋଷାକରେ ଆସୁଛନ୍ତି ସେ।ଶୁଭମ ପାଖକୁ ଯାଇ ଦେଖନ୍ତି ତାକୁ। ତପସ୍ୱୀ ଟେ ପରି ପ୍ରେମ ପ୍ରଦୀପକୁ ପରିସ୍ଥିତି ର ତୋଫାନରେ ଦିକ ଦିକ କରି ଜାଳୁଛି। ନା ଗ୍ଲାନି, ନା ଅଭିମାନ, ନା ଅଭିଯୋଗ।ଏସବୁ ଦେଖି ମ୍ୟାଡାମ ଆଶ୍ଚର୍ଯ୍ୟ। ମନତଳର ବରଫ ଖଣ୍ଡରେ ପ୍ରେମ ର ଉତ୍ତାପ ଲାଗିଛି, ସେ ତରଳିବା ଆରମ୍ଭ କରିଛି।

ଦିନେ ପୁଣି ଡାକି ଆଣିଲେ ନିଜ ପାଖକୁ। ପଚାରିଲେ- କଣ କିଛି ମନେ ପଡ଼ିଲା? କାହିଁକି ମାରିଲ ଆକାଶକୁ? କୋଉ ଅପରାଧରେ? ଶୁଭମ କଣ କହିବ ଭାବୁଛି, ମ୍ୟାଡାମ କହି ଉଠିଲେ- ଏଇ ପ୍ରେମ ପାଇଁ ନା? ଆଖି ଉଠେଇ ଚାହିଁଲା ଶୁଭମ , ଶର୍ମିଷ୍ଠା ଦେବୀ ଏଥର ସ୍ନିଗ୍ଧ ହସ ଟେ ଫୁଟେଇ କହିଲେ- ପ୍ରେମ ଖାଲି ଦେଇ ଜାଣେ, କିଛି ପାଇବାର ଲିପ୍ସାହୀନ ପ୍ରତିଶୃତି ଟିଏ। ମନକୁ ଯେତେ ଖାଲି କରିବା, ସେତେ ସୁଖ ପାଇବା ଆମେ।ସାମାନ୍ୟ ସ୍ୱାର୍ଥକୁ ତେଜି କାହା ଓଠରେ ହସଟିଏ ଦେଇ ପାରିଲେ , ପରମାନନ୍ଦ ପ୍ରାପ୍ତି ହୁଏ। ଯାହା ଆଗେ ସବୁ ତୁଚ୍ଛ, ସବୁ ଅସାର।ପ୍ରେମର ଆଉ ଗୋଟେ ନା ବିଶ୍ୱାସ। ତୁମ ଅଖଣ୍ଡ ବିଶ୍ୱାସ ଦେଖି, ମୁଁ କେବେ ଠୁ ତୁମ ପ୍ରେମରେ ପଡି ସାରିଛି। ହଁ, ହେଇପାରେ ଏଇଟା ଏକତରଫା ପ୍ରେମ, ପ୍ରତ୍ୟାଖ୍ୟାନ ପାଇଁ ମୁଁ କିନ୍ତୁ ପ୍ରସ୍ତୁତ ଅଛି। ଏବେ ତୁମ ନିଷ୍ପତି, ଯାହା ବି କହିଲେ ମୁଁ ଖୁସି।ଶୁଭମ ମଟମଟ ହେଇ ଚାହିଁ ରହିଛି ।
ଶର୍ମିଷ୍ଠା ଦେବୀଙ୍କ ଆଖିକୁ। କଥା କହୁ କହୁ ଓଦା ହେଯାଇଛି ସାମାନ୍ୟ।

କିଛିଦିନ ପରେ ଥାନାରୁ ଫେରିଲା ଶୁଭମ, ହଷ୍ଟେଲ କୁ। ଦିନେ ହଷ୍ଟେଲ ସାମ୍ନାରେ ଗାଡି ରଖି ଶର୍ମିଷ୍ଠା ଦେବୀ ଫୋନ କଲେ ଶୁଭମ କୁ। ପରିଚୟ ନ ଦେଇ ସିଧା କହିଲେ- ପ୍ରେମିକା ନହେଲେ କଣ ଭଲ ସାଙ୍ଗଟେ ହେଇପାରିବିନି?
ଜାଣି ପାରିଲା ଶୁଭମ, ହସିକି କହିଲା,
-ହଁ ନିଶ୍ଚୟ, ଯଦି ମୋ ସାଙ୍ଗେ ଗୋଟେ କପ କଫି ପି’ ବାକୁ ରାଜି ହେବେ। ସହାସ୍ୟ ସମ୍ମତି ଦେଲେ ମ୍ୟାଡାମ। ଦୁହେଁ ମ୍ୟାଡାମଙ୍କ ଗାଡ଼ିରେ ଗଲେ କଫି ଶପ କୁ।

ତନି ଏବେ ବି ସାଇକେଲ ନେଇ ଆସେ।ତା ଖୋଜିଲା ଆଖିରେ ମନେ ମନେ ଶୁଭମ କୁ ଖୋଜେ। ଜାଣି ଜାଣି ଧୀରେ ଧୀରେ ଯାଏ, ବାହାନା କରି ବୁଲି ଚାହେଁ।ଏବେ ସେ ବି ଶୁଣିଲାଣି , ଶୁଭମ ଆଉ ଶର୍ମିଷ୍ଠା ଙ୍କ ନାଁରେ କେତେ ଗପ, କିଛି ସତ କିଛି ମିଛ। ଫୁଲପକା ରୁମାଲ ଉପରେ,”S” ଲେଖେ। ଆଉ ତାକୁ ସାଇତି ରଖେ ନିଜ ପର୍ସରେ।

ବିଭୁ ସାମନ୍ତ
୯୪୩୭୭୦୧୩୯୩

Leave a Reply

Your email address will not be published. Required fields are marked *