ରଙ୍ଗ ବଦଳୁଥିବା ସମ୍ପର୍କ

ରବିବାର ସକାଳ ଟା ଭାରି ଅଳସୁଆ ଲାଗେ। ସପ୍ତାହ ସାରା କାମ କଲା ପରେ, ଦିନଟିଏ ତ ମିଳେ।ନିଜ ପାଇଁ ସମୟ ଟିକେ ଦେବାକୁ। ଏମିତିରେ ନିଜ ଫୋନ ଟା ଧରି ଚାଟିଂ କରି ବସିଲା ସମ୍ବିତ। କେତେ କେଜାଣି ସେତେବେଳେ ଅନଲାଇନ ଥିଲେ। ଗୁଡ଼ମର୍ଣ୍ଣି ମାସେଜ ଟେ ଦେଲା ସ୍ନିଗ୍ଧା କୁ। ସ୍ନିଗ୍ଧା ବି ପ୍ରତିଉତ୍ତର ଟିଏ ଦେଲା।  ଏମିତି କଥା ଆରମ୍ଭ ହେଲା। ତା ଘର କଥା, ସ୍ୱାମୀ, ପିଲା ମାନଙ୍କ କଥା ପଚାରି ବୁଝିଲା ସମ୍ବିତ। ଚା କପ ପରେ ଚା କପ ,ଏମିତି କଥା ଆଗେଇ ଚାଲିଲା। ବନ ଝରଣା ପରି , ସୁଖଦୁଃଖ, ହସକାନ୍ଦ ର ପାହାଡ଼ି ରାସ୍ତା ଦେଇ। କୋଉଠି ଖୁସିର ରାଗିଣୀ ତ କେବେ ଲୁହର ମେଘ ମଲ୍ହାର। ପୁରୁଣା ଦିନଗୁଡା ନାଚି ଉଠିଲା ଆଖି ଆଗରେ। ସ୍ମୃତି ସବୁ ପୁଣି ତାଜା ହେଇଗଲେ, ମନ ହାଲୁକା ହେଇଯାଏ। ଠିକ ଏପ୍ରିଲ ମାସର ବର୍ଷା ପରି। କିଛି ସ୍ମୁତି ଧୋଇ ହେଇ ଚକଚକ କରେ, ଆଉ କିଛି ପୁରୁଣା ଜଖମରୁ ଚମଡା ଛାଡି ଯନ୍ତ୍ରଣା ଦିଏ। କଥା କଥାରେ ସ୍ନିଗ୍ଧା କହେ ସୁଶ୍ରୀର କଥା। ଅନ୍ୟମନସ୍କ ହେଇପଡିଲା ସେ।

ସ୍ନିଗ୍ଧା କହିଲା ଦେବେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ କିଛି ବି ହେଇ ପାରେ କେବେ ବି। ଦେବେନ୍ଦ୍ର ସୁଶ୍ରୀର ସ୍ଵାମୀ ।ବିଚଳିତ ହେଇ ପଚାରିଲା କ'ଣ ହେଇଚି ବୋଲି। ସେପଟୁ ଉତ୍ତର ଆସେ ବ୍ଳଡ଼ କ୍ୟାନ୍ସର, ଶେଷ ଅବସ୍ଥା। ପଚାରି ବୁଝିଲା ହସ୍ପିଟାଲର ନାଁ।ଆଉ ତୁରନ୍ତ ବାହାରି ପଡିଲା ।

ହସ୍ପିଟାଲ ଯିବା ରାସ୍ତାରେ ନାଚିଯାଏ ସବୁକଥା ପୁରୁଣା ଚଳଚ୍ଚିତ୍ର ଦୃଶ୍ୟପରି, ତା ଆଖି ଆଗେ ।ସେ ସ୍ନିଗ୍ଧା ଆଉ ସୁଶ୍ରୀ ସ୍କୁଲ ବେଳୁ ସାଙ୍ଗ। ସମ୍ପର୍କ ଟା ଅତି ନିବିଡ। ବୟସର ସୁଅରେ ମନ ଦେଇ ବସିଲା ସୁଶ୍ରୀକୁ।କେଜାଣି କେତେବେଳେ ବନ୍ଧୁତା ପ୍ରେମର ରୂପ ନେଇଗଲା କାହାକୁ ଜଣା ପଡ଼ିଲାନି। ଦୁନିଆର ସବୁ ଖୁସି ତାଙ୍କ ପାଇଁ। ମନ ସାଥେ ମନ ଟିଏ ମିଶିଗଲେ, ରଙ୍ଗର ପସରା ମେଲି ଫଗୁଣ ଆସେ । ସେ ରଙ୍ଗ ଆଗେ ସବୁ ରଙ୍ଗ ଫିକା ପାଣିଚିଆ ଲାଗେ, ଖୁସିର ଆୟୁଷ ବ କେତେ ଯେ?।ଖୁସିତ ପରଦେଶୀ ମେଘ, ବିଦାୟ ନେଇ ଚାଲିଯାଏ। ଆଉ ଡାକି ଆଣେ  ଛାତିଫଟା ନିଦାଘ ଆଉ ଅସରା ଲୁହର ବନ୍ୟା।

ଛୋଟକଥା ପାଇଁ ଦୁହିଁଙ୍କ ଭିତରେ ମନୋମାଳିନ୍ୟ ହେଲା। ଭିତରେ ଥିବା ସୁକ୍ଷ୍ମ ଅହମିକା ଟା ସ୍ଥୂଳକାୟ ରୂପ ନେଲା। ସମ୍ପର୍କରେ ପଡିଲା ଭଟ୍ଟା। ଦୁହେଁ ଦୁହିଁଙ୍କୁ ନିଜନିଜ ଶତ୍ରୁ ବୋଲି ଭାବିନେଲେ। ଆଉ ଲୋକ ମାନେ ଜଳୁଥିବା ନିଆଁରେ ନିଜ ସ୍ୱାର୍ଥର ରୁଟି ସେକିବାକୁ ପଚ୍ଛେଇଲେନି। କେତେ ଦିନ ବା ଏମିତି ଆଉ ଚାଲିଥାନ୍ତା ଯେ। ନାଟକର ଯବନିକା ଟାଣିଲା ସୁଶ୍ରୀ। ଦେବେନ୍ଦ୍ରଙ୍କୁ ବାହା ହେଇଗଲା।

ଏତେ ସୁନ୍ଦର ସମ୍ପର୍କ ଏମିତି ଛିଡି ଗଲା। କେହି କେବେ ସ୍ବପ୍ନରେ ବି ଭାବିନଥିଲେ। ସ୍ନିଗ୍ଧା ବି ନିଜ ରାସ୍ତା ବାଛିନେଲା। ସେ ବି ଆଉ କାହା ହାତ ଧରିଲା। ଜୀବନର ଗାଡି ଗଡି ଚାଲିଲା ଅମୁହାଁ ଶଗଡ଼ ପରି। କାହା ପାଇଁ କାହାର ସମୟ ନାଇଁ। ନିଜ ପାଇଁ ବି କୋଉ ମିଳୁଛି ଯେ? ହେଲେ ବିଧି ଅଲଗା କିଛି ସ୍ଥିର କରିଥିଲା ତାଙ୍କ ପାଇଁ।

ହସ୍ପିଟାଲରେ ପହଁଚି ଗଲା ସମ୍ବିତ। ଦେବେନ୍ଦ୍ରର ନାଁ ଖୋଜି ପହଁଚିଲା icu ବାରଣ୍ଡାରେ, ଦେଖିଲା ଗୋଟେ ଖୁଣ୍ଟ କୁ ଆଉଜି ସୁଶ୍ରୀ ଠିଆ ହେଇଛି। କାଳ ବୈଶାଖୀର ଆଘାତରେ ଭୀତତ୍ରସ୍ତ କଅଁଳ ଶାବକ ପରି। ସୀମନ୍ତରେ ଲାଗି ରହିଛି ଧାରେ ସିନ୍ଦୁର । ଆଖି ମିଶିଗଲାପରେ ଦି ଧାର ଲୁହ ଝରିଗଲା। ଅନେକ ଦିନୁ ରୁ ବାଟ ପାଉନଥିଲା, ଆଜି କେମିତି ଫାଟି ପଡିଲା,ସାମାନ୍ୟ ସ୍ପର୍ଶରେ। କିଛି କହିଲାନି ସମ୍ବିତ , ସିଧା ଡାକ୍ତରଙ୍କ ସାଙ୍ଗେ କଥା ହେଲା ।ଆଉ ଚାଲିଗଲା ତାଙ୍କ ସାଙ୍ଗେ ଭିତରକୁ। ଆସିଲାବେଳେ ହାତରେ ଲାଗିଥିଲା ଧଳା ଅଠା ପଟିଟିଏ। ବୋଧେ ରକ୍ତ ଦେଇକି ଆସିଛି ସେ ।ଆସି ସୁଶ୍ରୀ କୁ କହିଲା ତୁ ବ୍ୟସ୍ତ ହ ନା। ତୋ ପ୍ରାର୍ଥନା ଠାକୁର ନିଶ୍ଚୟ ଶୁଣିବେ,ମୁଁ ତୋ ସାଥିରେ ଅଛି। ଏମିତି ରେ ବି ତୋଠୁ ଅଲଗା କୋଉ ହେଇପାରିଲି ଯେ, ଭଲପାଇଲା ବେଳେ ମୋ ହୃଦୟରେ ଥିଲୁ, ଆଉ ତା ପରେ ମୋ ମନରେ । ସମ୍ପର୍କ ବି ରଙ୍ଗ ବଦଳାଏ, ସେ ବି ପରୀକ୍ଷା ନିଏ, ୟା ମାନେ କ'ଣ ଆମେ ସମ୍ପର୍କର ହାତ ଛାଡ଼ିଦେବା ? ଦୁଷ୍ଟ ପିଲାକୁ କଣ ତୁ ଏମିତି ଛାଡିଦେଉ? ଚୁପ ରହି କଣ ଗୋଟେ ଭାବୁଥିଲା ସୁଶ୍ରୀ । ସନ୍ଧ୍ୟା ଆକାଶରେ ଲାଲ ସୂର୍ଯ୍ୟ ଟା ବୁଡୁଥିଲା। ଆରକ୍ତ ଅସ୍ତାଚଳେ ଦୀର୍ଘ ବାହୁ ଖୋଲି ଠିଆ ହେଇଥିଲା ଏକ ସୁନ୍ଦର ଛାୟାମୂର୍ତ୍ତି।

ବିଭୁ ସାମନ୍ତ
୯୪୩୭୭୦୧୩୯୩