Odia Stories

ଅଳ୍ପ ଦିନର ଗଳ୍ପ

ବୈଶାଖୀ ରାତିର ନିରୀହ ଶାବକ: ସିନ୍ଦୂରା ଅପେକ୍ଷାରେ

ଗ୍ୟାରେଜରେ କାମସାରି ଅବସନ୍ନ ଦେହଟେ ନେଇ ମୁଁ ଫେରେ ମୋ ବସାକୁ। ଦଉଡ଼ିଆ ଫୋଲ୍ଦି ଖଟ ଉପରେ ନିଜକୁ ଫିଙ୍ଗି ଦେଇ, ତକିଆ ରେ ମୁହଁ ମାଡି ମୁଁ ଆଖିବୁଜିଦିଏ। ମାଲିକର ଗାଳି, ଗ୍ରାହକଙ୍କ ତାଗିଦ ସବୁ ଭୁଲିବାକୁ ଚେଷ୍ଟା କରେ। ଘର କହିଲେ, ୮/୧୦ର ଖଣ୍ଡେ ବଖରା, ଆଉ ତାକୁ ଲାଗିକି ଗାଧୁଆ ଘର। ଥାକ ରେ ଅନେକ ଦିନର ହିସାବ ଚିଠା ଆଉ କେଇ ଖଣ୍ଡ ଖବରକାଗଜ। ଆଉ ତଳକୁ ପୁରୁଣା ବତୀ ଷ୍ଟୋଭ ଟିଏ। ତା ପାଖକୁ ଚାଉଳ ଡ଼ବା ଆଉ ସବୁ ସଉଦା ପତ୍ର କିଛି।

ଏଇଟା ମୋ ଦୁନିଆ, ସକାଳୁ ପଖାଳ ଖାଇ ବହାରିଯାଏ ମୋ କାମରେ, ଫେରିଲା ବେଳକୁ ଅନ୍ଧାର। ସେ କଲୋନୀରେ କିଏ ରୁହନ୍ତି କି ଯାଆନ୍ତି, ଆଜି ଯାଏ ଦେଖିନି। ଚେଷ୍ଟା ବି କରିନି। ଦରକାର ପଡିନି କେବେ। ମୁହଁମାଡି ବିଛଣାରେ ଶୋଇଗଲେ ସବୁ ଭୁଲିଯାଏ ମୁଁ। ଭାବନା କୁ ସ୍କେଚ କରିବାକୁ ମୋ ପାଖେ ସମୟ ନାହିଁ କି ସାମର୍ଥ୍ୟ ନାହିଁ। ମୋର ଗ୍ୟାରେଜ ପିଲାଙ୍କୁ ଛାଡିଦେଲେ କେହି ସାଙ୍ଗ ବି ନାହିଁ। ନାହିଁ ନାହିଁ ଭିତରେ ଜୀବନ ଟା ଗାଡିଚାଲିଛି, ଗୋଟେ ପୁରୁଣା ଲାଇଟ ନଥିବା ଗାଡି ପରି। ଯିବା ଆସିବା ରାସ୍ତାରେ କେତେ ଚରିତ୍ରଙ୍କୁ ଭେଟେ। ହେଲେ ମୋ ହିସାବ ଖାତାରେ ଥାଏ, ଖାଲି ଗାଡି ଯନ୍ତ୍ରପାତି ର ହିସାବ ସବୁ। ସେଦିନ କାହିଁ ଭାରି ଥଣ୍ଡା ଲାଗିଲା, ଚାଲିଆସିଲି ଘରକୁ, ମୁଣ୍ଡଟା ବି ଜୋରେ ବିନ୍ଧୁଥିଲା। ବୋଧେ ଜ୍ୱର ହେଲା ମୋତେ। ତା ପରଦିନ ଆଉ ଯାଇନି କାମକୁ। ଏମିତି ପଡିଛି ବିଛଣାରେ।କବାଟ ଟି କେହି ଜଣେ ଠକଠକ କଲେ। ଭାରି କଷ୍ଟରେ ଖୋଲି ଦେଖେ ତ, ସାତ ଆଠ ବର୍ଷର ଝିଅଟିଏ। ପଚାରିଲି କ’ଣ ବୋଲି, କହିଲା ମା ପଠେଇଛି ତୁମ ପାଇଁ ଭୋଗ। ମୁଁ ତାକୁ ଭିତରକୁ ଡାକିଲି, କାଠ ଷ୍ଟୁଲ ଟେ ଦେଲି ବସିବାକୁ। ଆଉ ତା ହାତରୁ ଭୋଗ ନେଇ ଖାଲି ଗିନାଟି ଫେରେଇଲି।

ତାକୁ ପଚାରିଲି , ତୁମ ନା କଣ ଝିଅ? ସେ କହିଲା, ନୀତୁ। ବୁଝିଲି ଯେ ଷ୍ଟାଣ୍ଡର୍ଡ଼ 3 ରେ ପଢ଼େ। ବେଶ ସୁନ୍ଦର ତା କଥା ବାର୍ତ୍ତା। ଦେଖିଲେ ମନ ଖୁସି ହେଇଯିବ। ଗିନା ନେଇ ସେ ଚାଲିଗଲା। ଆଉ ମୁଁ ପଡ଼ିରହିଲି, କୂଳକୁ ଖରା ଖାଇବାକୁ ଆସିଥିବା କୁମ୍ଭୀର ପରି। କାଗଜ଼ ରେ ଅନାବନା କଥା ଲେଖୁଥାଏ କାଟୁଥାଏ। ମୋ ପଶ୍ଚିମ କାନ୍ଥରେ ଟଙ୍ଗା ହୋଇଥିବା, ଘଡିର କଣ୍ଟାକୁ ଦେଖିଲାଗେ, ସମୟ ପାଖେ ସମୟ ନାହିଁ ଟିକେ ରହିଯିବାକୁ, ଅଟକି ଯାଇ ଭଲମନ୍ଦ ପଚାରିବାକୁ, ହୁଁ, ସେ ଭାରି ନିର୍ଦୟ, ସେ କାହୁଁ ବୁଝିବ, ମନ ତଳର ବେଦନାକୁ, ପ୍ରାଚୁର୍ଯ୍ୟ ଭିତରେ ସୁଖ କ’ଣ ମିଳେ, ସୁଖ ମିଳେ ସହଚାର୍ଯ୍ୟ ରୁ। କାହିଁ ଜଣେ ଏମିତି କେହି ଯେ ଆସି ସୁଖ ଦୁଃଖ ବାଣ୍ଟି ନିଅନ୍ତା ମୋ ସାଥେ। ସମୟ ବୋଧେ ସେମିତି କିଛି ଲେଖିନି ମୋ ପାଇଁ। ପ୍ରାରବ୍ଧରେ ନାହିଁ ତ ଦୁଃଖ କାହିଁ ପାଇଁ। ଚାଲୁ ଯେମିତି ଚାଲିଛି ଜୀବନ। କେତେବେଳେ ଆଖି ବୁଜି ହେଇଗଲା ଜାଣିନି।

ଔଷଧ ବଳରେ କେତେବେଳେ ନିଦ ହେଇଯାଇଛି, ଜାଣିନି। ପୁଣି କେହି ଜଣେ କବାଟ ରେ କରାଘାତ କଲେ। ଦେଖିଲି ଜଣେ ସ୍ତ୍ରୀଲୋକ। ଅଧା ଖୋଲା ରଖି କବାଟ ମୁଁ ପଚାରିଲି, କିଛି କାମ ଥିଲା। ସେ କହିଲେ, ମୁଁ ଭିତରକୁ ଆସିପରେକି? ମୁଁ ଦ୍ୱାର ଖୋଲି ଦେଲି। ସେ ଚାଲିଆସିଲେ ଭିତରକୁ।ଆପେଆପେ ବସିପଡିଲେ। ଘର ଚାରିଆଡେ ନଜର ପକାଉଥିଲେ। ମୁଁ ଚୁପଚାପ ତାଙ୍କୁ ଦେଖୁଥାଏ। କିଏ ଇଏ, କ’ଣ ତାଙ୍କ କାମ ମୋ ପାଖେ, ଭୁଲ ଘରକୁ ଆସିନାହାନ୍ତି ତ! ସରକାରୀ ଲୋକ ପରିକା ଲାଗୁନାହାନ୍ତି।କିଛି ତା ଆଣିନାହାନ୍ତି ତାଙ୍କ ସାଙ୍ଗେ। ମୁଁ ନୀରବ ଦର୍ଶକଟିଏ ସାଜି ଦେଖୁଥାଏ, ତାଙ୍କୁ। ବେଶ ସୁନ୍ଦର ସେ, କୌଣସି ସମ୍ଭ୍ରାନ୍ତ ପରିବାରର ବୋଲି ଲାଗୁଥାନ୍ତି। ସେ ମୋତେ ବସିବାକୁ କହିଲେ। ମୁଁ ବସିଲି, ତାଙ୍କ କଥାରେ କେମିତି ଗୋଟେ ଅଦୃଶ୍ୟ ଶକ୍ତି ଥିଲା। ମୁଁ ମନ୍ତ୍ରବତ ବସପଡ଼ିଲି। ସେ ସାମାନ୍ୟ ହସି ମୋତେ କହିଲେ, ମୁଁ ନୀତୁ ର ମା। ମୁଁ ତା ସେମିତି କିଛି ଖରାପ କାମ କରିନି, ଆଉ ଭୋଗ ଗିନା ବି ଫେରେଇଦେଇଛି, ତଥାପି କ’ଣ ପାଇଁ ଆସିଛନ୍ତି ମହିଳା ଜଣକ।

ମୋ ନାଁ ରେ କିଛି ଅଭିଯୋଗ ଅଛି ବୋଧେ। କହିଲେ ଆପଣ ଅସୀମ ବାବୁ ନା? ଅସୀମ ଦାସ ବିଶିଷ୍ଟ ଲେଖକ, ଆପଣଙ୍କ ପ୍ରାୟ ସବୁ ଲେଖା ମୁଁ ପଢ଼ିଛି, ଆପଣଙ୍କ ଲେଖାରେ ଘଟଣା ଗୁଡିକ ପୁରା ଜୀବନ୍ତ ଲାଗନ୍ତି। ଆପଣଙ୍କ ” ସାୟାହ୍ନର ସ୍ମୃତିରେଖା” ମୁଁ ଅନେକ ଥର ପଢ଼ିଛି। ଶବ୍ଦ ସବୁ ଆପଣଙ୍କ ମୋ ଛାତି ଭେଦି ଆତ୍ମାକୁ ଛୁଇଁଯାଏ। ସତରେ ଆପଣ ଜଣେ ଯାଦୁକର। ବେଶ ସୁନ୍ଦର ଭାବେ ସଜେଇ ପାରନ୍ତି ଶବ୍ଦ ମାନଙ୍କୁ। ମୋ ଦ୍ୱାରା ସେ ଲେଖାଲେଖି ହୁଏନି। ସେ କେତେ କଣ କହି ଚାଲିଲେ। ମୋତେ ମୋ ପ୍ରଶସ୍ତି ଗୁଣଗାନ ଜମା ଭଲ ଲାଗେନା। ସେ କିନ୍ତୁ ପ୍ରଗଲଭା ନଈ ଟିଏ ପରି କହି ଚାଲିଥିଲେ। ଆଖି ଦୁଇଟି ଖୁସିରେ ଚମକି ଉଠୁଥିଲା। ମୁଁ ଆନ୍ତରିକ ଧନ୍ୟବାଦ ଟିଏ ଦେଇପାରିଲି ଖାଲି, ଏ ନିସ୍ବ ଗ୍ୟାରେଜ ମେକାନିକ ଟେ କଣ ବା ଦେଇ ପାରିଥାନ୍ତା ଯେ। କେତେବେଳେ ସମୟ ପାଇଲେ ଲେଖିଦିଏ କିଛି। ଆଉ ମାସିକ ପତ୍ରିକାରେ ସ୍ଥାନ ପାଇଯାଏ, ସୌଭାଗ୍ୟବଶତଃ । ଆଜି ଜାଣିଲି କେହି ନ କେହି ପଢ଼ନ୍ତି ମୋ ଲେଖାକୁ। ସେ ବି ଅନୁଭବୀ ପାରନ୍ତି,ସମାନ କଷ୍ଟକୁ, ନିସହାୟତା କୁ। ମୁଁ ଭାବିଲି ଏତିକି କହି ଚାଲିଯିବେ ସେ। ସେ କିନ୍ତୁ ବସି ରହିଲେ। ମୋତେ କହିଲେ ଅସୀମ ବାବୁ, ମୋର ଗୋଟେ କାମ କରିବେ, ମୋ ପାଇଁ ଗପଟେ ଲେଖିବେ। ମୋ ନିଜ କାହାଣୀର। ପ୍ଲିଜ଼, ମନା କରନ୍ତୁନି, ମୁଁ ଜାଣିଚି ଆପଣ ପାରିବେ। କଣ୍ଠରେ ଉଦବେଗ ଆଉ ଅନୁରୋଧ ବାରି ହେଇ ପଡ଼ୁଥିଲା।ମୋ ସୀମିତ ଅନୁଭୂତି ପାଥେୟ କରି କିଛି ଲେଖିବି ବୋଲି ପ୍ରତିଶ୍ରୁତି ଟିଏ ଦେଇ ପାରିଲି ଖାଲି।

ହଠାତ, ଲାଇନ ଟି ଚାଲିଗଲା। ମୁଁ ଉଠି ଡିବି ଲାଗେଇବାକୁ ଯାଉଥିଲି। ମହିଳା ଜଣକ ମନା କରିଲେ। ଅନ୍ଧାର ରେ କୁଆଡେ ମନ କଥା ବେଶୀ ଖୋଲିକି କହି ହୁଏ। ସେ କହି ଚାଲିଲେ, ଦୁନିଆର ସବୁଠୁ କୋମଳତମ ଅନୁଭୂତି ବିଷୟରେ, “ପ୍ରେମ” କୁ ନେଇ। ଗୋଟେ ସମ୍ଭ୍ରାନ୍ତ ପରିବାର ଅଲିଅଳି ଝିଅ ସେ। ବାପା ଙ୍କୁ କୋର୍ଟ ରେ ଚାକିରୀ। ପଇସାର ଅଭାବ କଣ ଜାଣି ନାହାନ୍ତି ସେ। ବଡ ଭଉଣୀର ଆକଟ ଭାଇ ର ଆଦରରେ ଜୀବନଟା ଭାସି ଯାଉଥିଲା ଶରତ ଆକାଶର ବଉଦ ପରି। ଆଉ ତରୁଣୀ ବୟସ ରେ ଲାଗିଲା ରଙ୍ଗ ପ୍ରେମର। ଅନେକ ଆଖି ଏଇ ଗୋଲାପ ଉପରେ। ଅନେକ ମଧୁପ ଙ୍କ ମଧୁ ଗୁଞ୍ଜରଣ। କେତେ ଆଉ ବାନ୍ଧି ହୁଅନ୍ତା ଏ ମନକୁ। ମନଟା ଚାଲିଗଲା ଏମିତି ପର କରି,ଯେମିତି ସେ ତାର କେହିନୁହ ।ରାତିଦିନ ଏବେ ଖାଲି ସ୍ୱପ୍ନର ଗହଳି। ନିଦ ଗଲା ସିନା ସ୍ବପ୍ନ ବସା ବାନ୍ଧିନେଲା। କଥା ଦିଆନିଆ ର ପର୍ବ। ଏଇ କଥା କଣ କେବେ ଲୁଚିରହେ ? କଲେଜ କାନ୍ଥରେ ଲେଖା ହୁଏ ନାଁ ଦୁଇଟି,ଉଡ଼ିଓଡ଼ି ଆସି ଘରେ ପହଞ୍ଚିଲା। ଅନେକ ପ୍ରତିବାଦର ଶିକାର ହୁଏ।କେତେ ମାଡ଼ଗାଳି ଅପମାନ ପାଇବି ପ୍ରେମ ତିଷ୍ଠି ରହେ। ଆହୁରି ଦୃଢ଼ ହୁଏ, ଆହୁରି ଗଭୀର ହୁଏ। ଏମିତିରେ ଦିନେ ଚରମ ନିଷ୍ପତିଟିଏ ନେଲେ ସେମାନେ। ଏଇ ପ୍ରତିବାଦ ଏଇ ଯନ୍ତ୍ରଣା ଠୁ ଦୂରକୁ ଚାଲିଗଲେ ସେମାନେ। ପ୍ରେମକୁ ସ୍ୱୀକୃତି ନ ମିଳିଲେ, କଣ ଆଉ କରିଥାନ୍ତେ ଯେ। ସ୍ୱପ୍ନକୁ ରଙ୍ଗ ଦେବାକୁ ଲାଗିଗଲେ ସେମାନେ। ହେଲେ ସେ କଣ ଜାଣିଥିଲେ, ଯେ ମୁଦ୍ରାର ଅନ୍ୟ ପାଖର ଚେହେରାଟି କେତେ କୁସ୍ଚିତ କେତେ ଘୃଣ୍ୟ।

ହଁ ,ସେ ପ୍ରତିଶୋଧ ପାଇଁ ଛଳନା କରୁଥିଲେ। ଆଉ ଯେତେବେଳେ ଚକ୍ରାନ୍ତ ଟି ସଫଳ ହୁଏ, ଆସିଯାଏ ଦୁର୍ଦିନ। ଛଳନା ର ମହବାତ୍ୟାପରେ, ଲୁହର ନଈବଢିକୁ କଣ ମନା କରିହେବ? ପ୍ରତାରଣା ର ଗରମ ନିଃଶ୍ୱାସ ରେ ସବୁ ଭାଙ୍ଗିଗଲା,ପ୍ରତାରଣା ର ଗରମ ନିଃଶ୍ୱାସ ରେ ସବୁ ଭାଙ୍ଗିଗଲା, ଲୁହର ବାଲିବନ୍ଧ ବିଶ୍ୱାସ କୁ ବାନ୍ଧିପାରିଲାନି। ସାମାନ୍ୟ ପ୍ରତିବାଦ ରୁ ଆରମ୍ଭ ହେଲା ଅକଥନୀୟ ଅତ୍ୟାଚାର। ହୃଦୟ ଦେଇ ଭଲ ପାଉଥିବା ଲୋକ ଟା ଶେଷରେ ପଶୁ ବ ହେଇପାରେ। କେତେଥର ବେଲ୍ଟ ଆଉ ଚପଲର ଦରଜ ଆଜି ଯାଏ ବି ଯାଇନି ପିଠିରୁ। ଯନ୍ତ୍ରଣାର ପର୍ବଟି ଆରମ୍ଭ ହେଇ ସାରିଥିଲା। ଭାରି ନିଃସହାୟ ବୋଧ ଭିତରେ ଜୀବନଟା କଟୁଥିଲା ।ଗେଲ୍ହାଆଦରରେ ବଢିଥିବା ଝିଅଟି ଆଜି ସ୍ନେହ ଟିକେ ପାଇଁ ଡହଳବିକଳ ହେଉଥିଲା।

ୟା ଭିତରେ ଆଉ ଏକ ଜୀବନ ବାଟ ଖୋଜୁଥିଲା ଜରାୟୁ ଭିତରୁ। ଆକର୍ଷଣ ନଥିଲା ଆଉ ସମ୍ପର୍କରେ। ସେ ଆଉ ଜଣଙ୍କୁ ଭଲ ପାଇ ବସିଲେ, ଅନେକ ପ୍ରତିବାଦ ,ସବୁଯାକ ସିନ୍ଦୂର ମଥାରେ ଢାଳି ତାଙ୍କ ଗୋଡ ଧରିଲେ ବି,ସେ ଭାବଶୂନ୍ୟ ନିର୍ବାକ ।କେତେ ଥର ନିଜ ହାତ କାଟି ବ ଦିଆହେଲା। ନା କମିଲା ଅତ୍ୟାଚାର,ନା ଅଟକିଲେ ସେ। ଶେଷରେ ସେ ବାହା ହେଇଗଲେ। ଆଉ ଅଲଗା ରହିଲେ। ଅନେକ ଥର କୋର୍ଟ କଚେରୀ ପରେବି ଫଳ କିଛିହେଲାନି। ଏତିକି ବେଳକୁ ଲାଇନଟା ଚାଲିଆସିଲା। ଆଉ ମହିଳା ଜଣଙ୍କ ତରବରିଆ ଭାବେ ଲୁହ ପୋଛି ଦେଲେ।

ନରମିଗଲା ଏଇ ମନଟା, ନାରୀ ଲୁହରେ ବି ଅଜବ ଶକ୍ତି ଥାଏ। ଲୁହା ରେ କାମ କରଥିବା ମଣିଷଟେ ବି ଭାବବିହ୍ଵଳ ହେଇପାରେ। ଇଛା ହଉଥିଲା ଯାଇ ଭିଡି ଧରନ୍ତି ତାଙ୍କୁ ଛାତି ଉପରେ,ଯେମିତି ତାଙ୍କ ହୃଦୟର ବେଦନା ସଂକ୍ରମିତ ହେଲାଯାଏ ମୋ ଭିତରକୁ। ମନ ଭିତରେ ଝରୁଥିଲା,ସହାନୁଭୁତିର ଝରଣା ଟେ ଅପରିଚିତ ଦେବୀ ଙ୍କ ପାଇଁ। କିନ୍ତୁ ପାରିଲିନି। ସବୁ ପରେ ବି ସେ ହସୁଛନ୍ତି,ସହଜରେ କଥା କହୁଛନ୍ତି।ଭାରି କଷ୍ଟରେ ବଞ୍ଚିବାର ସହାସକୁ ସାଉଁଟିଛନ୍ତି।ମଥା ଆପେ ନଇଁ ଯାଉଥିଲା ତାଙ୍କ ପାଖେ। ନାରୀର ଅନ୍ୟନାମ ପରା ସର୍ବଂସହା।

ନୀତୁ ଆସି ଡାକିଲା, ମା କାଲି ପାଇଁ ମତେ ଟିକେ ପାଠ ପଢେଇ ଦବ ଆସନା। ମୋର କଲି ଗଣିତ ପରୀକ୍ଷା ଅଛି। ଉଠୁ ଉଠୁ ସେ କହିଲେ, ହିସାବକିତାବରେ ମୁଁ ଭାରି କମଜୋର ଅସୀମ ବାବୁ, ମୋ ଦ୍ୱାରା ହୁଏନି ଏ ଗଣିତ। ଏତିକି କହି ଚାଲିଗଲେ ସେ। ଘର ଭିତରେ ପ୍ରତିଧ୍ବନୀତ ହେଉଥିଲା ତାଙ୍କ ଶେଷକଥା ପଦକ। ଆଉ ବାହାରେ, ଅସ୍ତାଚଳରେ ସୂର୍ଯ୍ୟ ର ରକ୍ତିମ କିରଣ। କୃଷ୍ନଚୁଡା ର ପାଖୁଡା ପରି, ବିଚ୍ଛୁଡି ହେଇ ପଡିଛି ଚାରିଆଡ଼େ,ଠିକ ତାଙ୍କ ମଥାର
ସିନ୍ଦୁର ପରି।

ବିଭୁ ସାମନ୍ତ
୯୪୩୭୭୦୧୩୯୩

Leave a Reply

Your email address will not be published. Required fields are marked *