Odia Stories

ସ୍ମୃତି ସରୁବାଲିରେ ବିଳାପି ଶାମୁକା

ଅଫିସରେ କାମ କରୁ କରୁ ଜଣେ ସହକର୍ମୀ ଆଣିଦେଲା, ବିବାହ ନିମନ୍ତ୍ରଣ ପତ୍ର ଟିଏ। ଗୋଲାପି ରଙ୍ଗ ର ଲଫଫା ଉପରେ ଦୁଇଟି ନାଁକୁ ଦେଖି ଆଚମ୍ବିତ ହୋଇଗଲା ସେ, ସାମାନ୍ୟ ଅନ୍ୟମନକସ୍କ ହେଲା ପରି ହଜିଗଲା, ମନେ ପଡିଗଲା ଅସୀମା କଥା। ସ୍ମିତ ହସ ଟେ ଖେଳିଗଲା ଦୁଷ୍ମନ୍ତ ଓଠରେ। ଖିଆଲି ମଣିଷଟେ ସେ। ସାଙ୍ଗେସାଙ୍ଗେ ଫୋନ କଲା ଅସୀମାକୁ ।
– ହେଲୋ, ଅସୀମା କ’ଣ କରୁଛ? ସନ୍ଧ୍ୟାରେ ଦେଖା ହେଇ ପାରିବ?
ସେପଟୁ ଅସୀମା ଉତ୍ତର ଦେଲା, କାମ ତ ପିଛା ଛାଡ଼ୁନି, ହେଲେ ମୁଁ ଚେଷ୍ଟା କରିବି ନିଶ୍ଚୟ।
ଦୁଷ୍ମନ୍ତ ଆଉ କିଛି ନ କହି ଫୋନ ରଖିଦେଲା ।ଅଭିମାନରେ ନୁହେଁ ବିଶ୍ୱାସ ରେ। ସେ ଜାଣେ, ଅସୀମା ଆସିବ।
ଅଫିସରୁ ଛୁଟି ହେଲା ପରେ ଅଟୋ ନେଇ ସେ ଗଲା ସମୁଦ୍ର କୁଳ ଆଡେ।

ତା’ର ଠିକ ମନେ ଅଛି, ସେଦିନର କଥା। ଓଡ଼ିଶାକୁ ମୌସୁମୀ ଆସିବା ଯେମିତି ସ୍ବପ୍ନ ହେଇ ଗଲାଣି। ଠିକ ସ୍ୱାତୀର କଥା ପରି। କଥା ଦେଇ ଭୁଲି ଯିବା ତାର ପୁରୁଣା ଅଭ୍ୟାସ। ଝିଅ ମାନେ ବି ଏମିତିକା କେତେବେଳେ କଣ କହନ୍ତି, ପରେ ତାଙ୍କର ମନେ ବି ନଥାଏ। କେତେ ଥର ତ ସେ ଦୁଷ୍ମନ୍ତର ଜନ୍ମଦିନ ବି ଭୁଲିଯାଇଛି। ଏଥିପାଇଁ କେବେ ଦାୟୀ କରିନି ତାକୁ ସେ। ଭୁଲ ତାର ନୁହେଁ, ବୋଧେ ତାକୁ ଦୁଷ୍ମନ୍ତ ବୁଝିପାରିନି। ଖାଲି ସେ କଣ! ପୃଥିବୀର ଅଧିକାଂଶ ପୁଅ ଝିଅଙ୍କୁ ବୁଝିପାରନ୍ତିନି, ତାଙ୍କ ଚଂଚଳ ପ୍ରଜାପତି ମନକୁ ଧରି ପାରନ୍ତିନି। କେତେ ପୁସ୍ତକ କେତେ ଉପନ୍ୟାସ ଲେଖା ହେଲାଣି ଏଥିପାଇଁ । ଅନ୍ଧଟେ ହାତୀ କୁ କଳ୍ପନା ପରି ଯେ ଯାହା ନିଷ୍କର୍ଷ ରେ ପହଞ୍ଚନ୍ତି। ତମେ ଭାବିଥିବ ଏମିତି କଲେ ସେ ରାଗିବ ବୋଲି, ହେଲେ ସେ ବିଲକୁଲ ରାଗିବନି। ହସି ହସି ଆଦରି ନେବ। ଆଉ ବେଳେ ଛୋଟ କଥାଟିଏ ପାଇଁ ଏମିତି ବର୍ଷିଯିବ ଯେ ତମେ କଳ୍ପନା କରିନଥିବ । ସ୍ୱାତୀ ସେମିତିକା, ବୁଝି ହୁଏନି ତାକୁ, ବୁଝି ହୁଏନି ବୋଲି ତ ସେ ଭଲ ଲାଗେ । ତା ଦୁଷ୍ଟ ହସରେ ସବୁ ଭୁଲିଯାଏ ଦୁଷ୍ମନ୍ତ।

ଅଦ୍ଭୁତ ଝିଅଟେ ସ୍ୱାତୀ, ବର୍ଷା ହେଲେ ତା’ର ଆଇସକ୍ରିମ ଖାଇବାକୁ ମନ ହେବ। ଫୋନ କରିକି ଜିଦ୍ଦି କରିବ କଅଁଳ ପିଲାଟେ ପରି, ଦୁଷ୍ମନ୍ତ ପାଖରେ। ଦୁଷ୍ମନ୍ତ ବି ତା ଜିଦ ଆଗେରେ ହାର ମାନିଯାଏ। ଆଉ ଅଜ୍ଞାଧୀନ ଛାତ୍ର ଟେ ପରି ଯାଏ ତା କଥାରେ। ତା ଦୁନିଆ କହିଲେ ସ୍ୱାତୀ ଠୁ ଆରମ୍ଭ ଆଉ ସ୍ୱାତୀ ପାଖେ ଶେଷ। ତା ଲିଭିଂ ରୁମର କାନ୍ଥରେ ସ୍ୱାତୀ ର ଗୋଟେ ବଡ ପୋଷ୍ଟର । ତାର ମନେ ଅଛି, ସେମାନେ ଯେତେବେଳେ ଯାଇଥିଲେ, ମେଘାଳୟ, ହୋଟେଲ ର କାଚ ଆରପଟେ ବର୍ଷା, ଆଉ ଏପଟେ ସ୍ୱାତୀ। ସେ ବି କୋଉ ବର୍ଷ ଠାରୁ କମ କି? ମନ ମାନିଥିଲେ ଅଜାଡି ଦେବ ପ୍ରେମର ଅଜସ୍ର ଧାରା, ଆଉ ଭିଜେଇ ଦେଇ ଯିବ ଏ ତନୁମନ । ସେଦିନର ସ୍ମୃତି କଏଦ୍ କରିଥଲେ ସେମାନେ । ଏମିତି ଗୋଟେ ରାତିରେ ଟେଡି ବିଅର ଦରକାର ପଡିଲା ସ୍ୱାତୀର । ବାଧ୍ୟ ପ୍ରେମିକ ପରି ଘରୁ ବାହାରିଗଲା ଦୁଷ୍ମନ୍ତ କଣ୍ଢେଇ ଖୋଜି ବାକୁ। ଏତେ ରାତିରେ କୋଉଠୁ ବ ପାଇବା ସେ? ଠିକଣା ପଚାରି ଗୋଟେ ଦୋକାନୀ କୁ ଉଠେଇ ଗୋଟେ ବଡ ଟେଡି କିଣିଲା ସେ। ଆଉ ବହାରିପଡ଼ିଲା ସ୍ୱାତୀ ଘର ଆଡ଼େ। ତା ଘର ଠୁ ସ୍ୱାତୀ ର ରୁମ୍, ପ୍ରାୟେ କୋଡିଏ କିଲୋମିଟର। ଅଚାନକ କୋଉଠି ଥିଲା ଏ ନିଉଚ୍ଛୁଣା ମେଘ ତା କେଜାଣି ଢାଳି ଦେଇଗଲା। ଏତେ ବର୍ଷାରେ ଆଉ ଆଗକୁ ଗାଡି ଚଲେଇବା ସମ୍ଭବ ନୁହେଁ। କୋଉଠି ଟିକେ ଆଶ୍ରା ଖୋଜିଲା ସେ। ଦେଖିଲା ଗୋଟେ ଗାଁ ଉପାନ୍ତରେ ଅଜବେଷ୍ଟସ ଘର ଟିଏ। ଗାଡି ତ ମୁହେଇଁ ନେଲା ସେ ଆଡେ। କିଛି ନ କହି, ପିଣ୍ଡା ଉପରକୁ ଉଠି ଗଲାସେ, ଖୁଣ୍ଟକୁ ଆଉଜି ଠିଆ ହେଲା। ବର୍ଷା ର ମଜା ନେଲା, ସିଗାରେଟ ଟେ ଲଗେଇ। ସ୍ୱାତୀ ଠୁ ଲୁଚେଇ କେତେବେଳେ କେମିତି ଟାଣିଦିଏ ସେ। ହଠାତ୍, ଘର ଭିତରୁ ଶୁଭିଲା ଗୋଟେ କାଚ ଭାଙ୍ଗିବାର ଶବ୍ଦ, ଆଉ ତା ପରେ ଭୀଷଣ ଆର୍ତ୍ତଚିତ୍କାର।

ଘରୁ ଟଳମଳ ହେଇ ବାହାରି ଅଡିଲେ ମହିଳା ଜଣେ। ମୁଣ୍ଡରେ ଗୋଟେ ହାତରେ କପଡା ଚାପି ଧରିଥାନ୍ତି, ଆସି ପିଟିହେଲେ ଦୁଷ୍ମନ୍ତ ଦେହରେ। ସେ ବୁଲିପଡ଼ିଲା ବେଳକୁ, ପଡିଯାଉଥିଲେ ପିଣ୍ଡା ତଳକୁ। ଧରି ନେଲା ସେ, ତାଙ୍କୁ। ଧରୁ ଧରୁ ସେ ତା ଦେହରେ ଲୋଟିଗଲେ। ସମ୍ଭାଳି ନେଲା ଦୁଷ୍ମନ୍ତ। ଆଖି ବୁଜୁବୁଜୁ କହିଲେ, ବାବୁ ମତେ ବଞ୍ଚାଅ। ଏତିକି ଘରୁ ଜଣେ ନିଶାସକ୍ତ ଯୁବକ ହାତରେ ଭଙ୍ଗ ବୋତଲ ଟେ ଧରି ବାହାରିଲେ। କହିଲା, ବଜ୍ଜାତ, ମୁଁ ସେଠି ଖାଇବାକୁ ମାଗୁଛି, ନ ଦେଇ ଆସି ନାଗର ଗୋଟାଉଛୁ। ଆଜି ତୋତେ ମାରି ମାରି ମାରିଦେବି। ଉତ୍ତ୍ୟକ୍ତ ହେଇ ମାଡି ଆସିଲା ବେଳକୁ ଦେଲା ଗୋଟେ ଶକ୍ତ ଧକ୍କା, କବାଟ ରେ ପିଟି ହେଇ ପଡ଼ିଲା ସେ। କାହାଣୀ ତା ବୁଝି ବାକୁ ଡେରି ହେଲାନି ଆଉ। ନିଶା ତା ଖାଇ ସାରିଲାଣି ଅଧା ସମାଜକୁ, ନିଶା ପାଇଁ ଝଗଡା, ନିଶା ରେ ବି ଝଗଡା। କେତେ ଠିକ୍ ଏଟା ସମାଜ ପାଇଁ , କାହା ପାଖେ ଉତ୍ତର ଅଛି?ମଦ ସପକ୍ଷରେ ଅନେକ ବାହାରିବେ, କେତେ ମଦ ଦୋକାନ ଭାଙ୍ଗିବ ଯେ ତମେ ମାନେ। ଆମେ ପିଉଛୁ ପିଇବୁ। ଏତିରୁ ପ୍ରଚୁର ରାଜସ୍ୱ ଆଦାୟ ହୁଏ। ମଦ ନ ମିଳିଲେ ତମ ରକ୍ତ ପିଇବୁ। “ଚୁପ୍, ଶଳା ମଦୁଆ ” କହି ବୁଲି ଆସିଲା ମହିଳା ଙ୍କ ପାଖକୁ। ସେ ସେଇଠି ଅଚେତ ହେଇ ପଡ଼ିଥିଲେ। ତାଙ୍କୁ ବର୍ଷା ପାଣି ଛିଞ୍ଚି, ଚେତା କଲା ଦୁଷ୍ମନ୍ତ। ସେ ଦୁଷ୍ମନ୍ତ କୁ ଭିଡି ଧରିଲେ। ମୋବାଇଲ ଲାଇଟ ଲଗେଇ,ଦେଖିଲା ବେଳକୁ ରକ୍ତ ରେ ଭିଜିଛି ତାର ଦେହମୁହଁ। ସେ ଭୁଲିଗଲା ସ୍ୱାତୀ କଥା। ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନା ନେଇଗଲା। ତା ଗାଡ଼ି ରେ। କାଚ ଖଣ୍ଡେ ପଶିଯାଇଥାଏ ତାଙ୍କ ମୁଣ୍ଡରେ। ରକ୍ତରେ ଭିଜିଥାଏ ତା ଗାଡ଼ି ର ସିଟ। ଆଣିଲା ଭିତରେ ଦୁଷ୍ମନ୍ତ ସାର୍ଟ ରେ ରକ୍ତର ଦାଗ। ରକ୍ତ ଦରକାର ପଡ଼ିଲା ତାଙ୍କର।ରକ୍ତ ଦେଲା ଦୁଷ୍ମନ୍ତ। ପାଖରେ ରହିଲା କିଛି ସମୟ। ତା’ପରେ ସ୍ବାତୀ କୁ କହିଲା ସବୁ କଥା। ମନ ଭଲ ଥିଲା, ତା’ର। ଦୁଷ୍ମନ୍ତ କୁ ଭିଡି ନେଲା ଆଶ୍ଲେଷରେ। ଦୁଷ୍ମନ୍ତ କିନ୍ତୁ ଗାଳି ଶୁଣିବାକୁ ପ୍ରସ୍ତୁତ ଥିଲା। ସତରେ ସ୍ବାତୀ ଭାରି ଅନନୁମେୟ।

ଏବେ ହସ୍ପିଟାଲ ରୁ ଆସିଲେଣି ମହିଳା ଜଣଙ୍କ। ବୟସ ବୋଧେ ଦ୍ୱଷ୍ମନ୍ତ ଯେତିକି ହେବ। ପୁରା ଗୋରା ନହେଲେ ବି ସୁନ୍ଦର। ନା ତାଙ୍କର ଅସୀମା। ନିମ୍ନ ମଧ୍ୟବିତ୍ତ ପରିବାର ରେ ଜନ୍ମ ହେବାର ଅଭିଶାପ ବୋହି ଚାଲିଛି ନିଜ ଭିତରେ। ଅର୍ଥ ଲୋଭରେ ବାପା ବାହା କରେଇ ଦେଲେ ଗୋଟେ ମଦ୍ୟପ ଲମ୍ପଟକୁ ,ଉପହାର ରେ ମିଳିଲା ଅତ୍ୟାଚାର, ଵିଵାହ ର ପ୍ରଥମ ରାତି ରୁ। ପରିବାର କୁ ବାନ୍ଧିବାର ସବୁ ପ୍ରଯତ୍ନ କରିସାରିଥିଲା ସେ, ହାରିଗଲା। ସେଦିନ ରାତିରେ ତାକୁ ଘରୁ ବାହାରକୁ ଯାଇ ହୋଟେଲ ରୁ ଖାଇବା ଆଣିବା ଲାଗି କହିଲା ତା ସ୍ବାମୀ। ବର୍ଷା ଲାଗି ମନା କରିବାରୁ, ଏମିତି ପିଟି ଥିଲା। ହସ୍ପିଟାଲ ରେ ଶୁଣିଲା, ଏ ବାବୁ ଜଣକ ତାକୁ ଆଣିଛନ୍ତି ଆଉ ତା ସବୁ କଥା ସେ ବୁଝୁଛନ୍ତି। ରକ୍ତ ବି ଦେଇଛନ୍ତି। ମନ ତ ଆପେ ନଇଁଗଲା ତାଙ୍କ ପାଖେ। କଥା ହେବାକୁ ସୁଯୋଗ ପାଇନି ସେ, କେବେ। ଅଳ୍ପ ସମୟ ପାଇଁ ଆସନ୍ତି, ଡ଼ାକ୍ତରଙ୍କ ସାଙ୍ଗେ କଥା ହେଇ ଚାଲି ଯାଆନ୍ତି। ହସପିଟାଲରୁ ବାହାରିଲା ପରେ ଆଉ ଫେରିନି ସେ ନର୍କକୁ। ନିଜକୁ ତିଆରି କରିଛି ନୂଆ ଭାବେ, ଆଉ ଲଢ଼ିବ ନିଜର ଅସ୍ତିତ୍ବ ପାଇଁ। ପୁଣି ସ୍ବାଭିମାନ ସହ। ବହୁତ ଖୋଜିଛି, ସେ ଦେବପୁରୁଷଙ୍କୁ ଯାହାଙ୍କ ପାଇଁ ସେ ପାଇଛି ନୂଆ ଜୀବନ ଟେ। କେବେ ପାଇନି। ଦିନେ ଗୋଟେ ଦୋକାନ ରେ କାମ କରୁ କରୁ ଦେଖି ଦେଲା ଦୁଷ୍ମନ୍ତକୁ। ଦୋକାନରୁ କଣ କିଣି ଚାଲି ଯାଉଥିଲା ସେ। ଧାଇଁ ଯାଇ ତାଙ୍କ ଗୋଡ ଧରି ନେଲା ସେ। ଆଉ ଛୋଟ ପିଲାଙ୍କ ପରି କାନ୍ଦିଲା। ଦୁଷ୍ମନ୍ତ ଭୁଲି ଯାଇଥିଲା ସେ ଘଟଣାକୁ।ଏତେ ବଡ ବଜାର ଟାରେ ସେ ଏମିତି କରୁଥିବାର ଦେଖି ସମସ୍ତେ ସେମାନଙ୍କୁ ଦେଖୁଥିଲେ।ତା କାନ୍ଦ ଦେଖି ମାନେପଡ଼ିଲା ସେଦିନର କଥା। କିଛି ଭିଡ ବି ଜମିଗଲେ ସେଠି। ଦୋକାନ ମାଲିକ ପାଟି କରି ଉଠିଲା, କଣ ହଉଚି ସେଠି? ନାଟକ ନ କରି ଯା କାମ କରିବୁ ଯା। ତୋର ଆଜି ଖାଇବା ବନ୍ଦ। ଦୁଷ୍ମନ୍ତ ତାକୁ ତୁନି କରେଇଲା, ବୁଝେଇଲା। ସେ କିନ୍ତୁ ମାନିବାକୁ ନାରାଜ। ତାର ଗୋଟେ ଅନୁରୋଧ, ତାକୁ ନେଇ ହଉ ତା ସାଙ୍ଗେ, ଖାଇବାକୁ ନଦେଲେ ବି ତା ପାଖରେ କାମ କରିବ। ନାରୀ ବି ଏମିତିକା, ଗୋଟେ ଦରଦୀ ମନ,କେଇ ଟୋପା ଭଲପାଇବା ଆଉ ମୁନ୍ଦେ ବିଶ୍ୱାସ ପାଇଗଲେ ଅନୁରକ୍ତ ହେଇ ଯାଆନ୍ତି। ସାରା ଜୀବନ ପାଇଁ। ଆଉ ପୁରୁଷ ଠିକ ଏଇ କଥାର ଫାଇଦା ଉଠାଏ। ସ୍ୱାର୍ଥ ପୂରଣ ପରେ ଫିଙ୍ଗିଦିଏ ରାସ୍ତା କଡ଼କୁ। ଏଇ ତ ଆମ ମୂଲ୍ୟବୋଧ। ଆମ ମାନସିକତା।
ଦୁଷ୍ମନ୍ତ ସାଙ୍ଗରେ ନେଇ ଆସିଲା ତାକୁ। ପଚାରିଲା
– ତମ ନାଁ?
– ଅସୀମା ନାୟକ।
-ପାଠ ପଢିଛ?
– +୨ ପାସ କରିଛି।
– ଆଛା, କିଛି କାମ କରିବ ଦେଲେ?
– ହଁ,ବାବୁ ଯାହା କହିବେ ସବୁ କରିବି। ଆପଣ ମତେ ଦୟା କରି ଆପଣ ଙ୍କ ସାଙ୍ଗରେ ନେଇ ଯାଆନ୍ତୁ। ଚିନ୍ତା ରେ ପଡିଗଲା ଦୁଷ୍ମନ୍ତ, କୁଆଡେ ନେବା ତାକୁ। ସେ ତା ଏକା ରହୁଛି। ଅଫିସ କ୍ୱାଟରରେ ତାକୁ କୋଉଠି ରଖିବ । ସେ କଣ ଗୋଟେ ଭାବି ଚାଲିଲା ତା ସାଙ୍ଗେ। ତା ଘର ପଚ୍ଛେ ଥିବା ରଞ୍ଜୁ ମାଉସୀ ପାଖେ ତାକୁ ଛାଡିଲା। ଆଉ କହିଲା ଖୁବ ଶୀଘ୍ର ତା ପାଇଁ ଚାକିରୀ ଟେ ବୁଝି ଦେବ ବୋଲି। କିଛି ଦିନ ରହିଲା ପରେ ସେ ରଂଜୁ ମାଉସୀ ଠୁ ଶୁଣିଲା ତା କଥା। ମନଟା ଏଥର ପୁରା ବତୁରି ଗଲା ଦୁଷ୍ମନ୍ତ ପାଇଁ। ସକାଳୁ ଯାଇ ତା ଘର ଅଗଣା ସବୁ ସଫା କରିଦିଏ। ପିଇବା ପାଣି ଭରିଦିଏ। ଆଉ ସେ ଉଠିଲା ପରେ ତା ଶୋଇବା ଘର ଝାଡୁ କରିଦିଏ। ଏସବୁ କରି ଖୁବ ଖୁସି ଥାଏ ସେ। ଛୁଟିଦିନ ମାନଙ୍କରେ ତାର ପ୍ୟାଣ୍ଟ ସାର୍ଟ ସଫା କରି, ଇସ୍ତ୍ରୀ ବି କରିଦିଏ। ତା ପାଇଁ ଦି ଖଣ୍ଡ ସୁତା ଶାଢ଼ୀ ଆଣିଦେଇଛି ଦୁଷ୍ମନ୍ତ। ଚାକିରୀ ଟିଏ ବି ବୁଝି ଦେଲା। ଗୋଟେ ଦୋକାନର ହିସାବ ପତ୍ର ରଖିବା କାମ ଟିଏ। ଖୁସିରେ ନାଚି ଉଠିଲା ସେ। ପ୍ରଥମ ଦରମା ରେ ବାବୁ ଙ୍କ ପାଇଁ ଆଣିଦେଇଥିଲା ସୁନ୍ଦର ଜୋତା ହଳେ। ଦୁଷ୍ମନ୍ତ ଯେତେ ମନା କଲେ ବି ଶୁଣିଲାନି ସେ, ଜିଦ୍ଦି କରି ପିନ୍ଧେଇ ଦେଲା ତାକୁ।କହିଲା, ବାବୁ ମତେ ଏମିତି ତମ ଗୋଡତଳେ ଆଶ୍ରା ଟିକେ ଦେଇଥାଅ।

ଦିନେ ଦୁଷ୍ମନ୍ତର ଦେହ ଭୀଷଣ ଖରାପ ହେଲା। ଜ୍ଵର ଜମା ଛାଡ଼ିଲାନି। ଯେତେ ଔଷଧ ଖାଇଲେ ବାନ୍ତି ହେଇଗଲା। ଅସୀମା ତା କାମରେ ଯାଇଥାଏ। ସ୍ୱାତୀ କୁ ଫୋନ କଲା ସେ, ତା ନମ୍ବର ଲାଗିଲାନି। ସେ ଘରକୁ ଯାଇଥାଏ। ଏମିତି ରେ ଦୁଷ୍ମନ୍ତ ମୁଣ୍ଡ ବୁଲେଇ ପଡି ଯାଇଛି, ଗାଧୁଆ ଘର ଚଟାଣ ଉପରେ ଅଚେତ ହୋଇ। ସନ୍ଧ୍ୟା ରେ ଫେରିଲ ଅସୀମା, ଦୁଷ୍ମନ୍ତ କ୍ୱାଟରରେ ଆଲୁଅ ଜଳୁନଥିବା ଦେଖି, ଭାବିଲା ବୋଧେ କୁଆଡେ ଯାଇଛନ୍ତି ବାବୁ। ହେଲେ ସାମ୍ନା ଗେଟ୍ ତ ଖୋଲା ଥିଲା ପରି ଲାଗୁଛି। ସନ୍ଧ୍ୟା ପରେ ଆସେନି ସେ, ଦୁଷ୍ମନ୍ତ ଘରକୁ। ରଂଜୁ ମାଉସୀ କୁ ସାଙ୍ଗରେ ଧରି ଆସିଲା। ଦେଖିଲା ବେଳକୁ। ଦୁଷ୍ମନ୍ତ ବାନ୍ତି କରି ତା ଉପରେ ଅଚେତ ହେଇ ପଡିଛି। ପାଖକୁ ଯାଇ ଦେଖିଲା ଦେହରେ ଖଇ ଫୁଟା ତାତି। ତାକୁ ପାଣି ଛିଞ୍ଚି ଚେତ କରେଇଲା। ଆଉ ତା ଦେହ ହାତ ପୋଛାପୋଛି କରି ଡ୍ରେସ ବଦଳି । କଷ୍ଟମଷ୍ଟେ ଖଟ ଉପରେ ଶୁଆଇଲା। ଆଉ ଡାକ୍ତରଙ୍କୁ ଡାକିଲା। ବହୁତ ବ୍ୟସ୍ତ ହେଇ ପଡ଼ୁଥିଲା ସେ। କେତେ ମାନସିକ କରିଲା ଠାକୁରଙ୍କ ପାଖେ। ମଝିରେ କେତେ ବେଳେ ଆଖିରେ ଲୁହ ଆସିଛି ସେ ବି ଜାଣିନି। ଡାକ୍ତର ଆସି ଔଷଧ ଇଞ୍ଜେକ୍ସନ ଦେଲେ କହିଲେ ନ କମିଲେ , କାଲି ସକାଳେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିବ। ଦୁଷ୍ମନ୍ତ ପାଖରେ ଜଣେ ରହିବା ନିହାତି ଦରକାର। ରଂଜୁ ମାଉସୀ, ସକାଳେ କାମ କୁଯିବ ତେଣୁ ସେ ଚାଲିଗଲା ଶୋଇବାକୁ। ରହିବାକୁ ପଡିଲା ତାକୁ, ଠାକୁରଙ୍କୁ ଡାକୁଥିଲେ କେମିତି ଭଲରେ ରାତି ଟା ପାହାନ୍ତା କି। ଦୁନିଆର ଡର ତାକୁ ନାହିଁ। ଅପନିନ୍ଦାଠୁ ବେଶୀ ଜୀବନ ର ମୂଲ୍ୟ। ତା ଛଡା, ଏ ବାବୁ ଅଛି ବୋଲି ତା ସେ ସମ୍ମାନରେ ଜିଇଁଛି। ନହେଲେ, କୋଉଠି ଭିକ ମାଗୁ ଥାନ୍ତା ନହେଲେ କୋଉ ଅନ୍ଧଗଳିରେ ଦେହ ବିକୁଥାନ୍ତା। ଲାଗିଯାଉ ତା ପାଇଁ ଆଉ ଟିକେ କଳଙ୍କ, କଳଙ୍କ କୁ ସିନ୍ଦୁର କରି ପିନ୍ଧି ନେବସେ। ଏମିତି ଭାବି ସେ ମଥା ରଖି ଶୋଇପଡ଼ିଲା ଦୁଷ୍ମନ୍ତ ପାଦ ପାଖେ ମୁଣ୍ଡ ରଖି। ରାତି କେତେ ହେବ କେଜାଣି, ବାଜିଲା ଦୁଷ୍ମନ୍ତ ର ମୋବାଇଲ । ଫୋନ କରିଥିଲା ସ୍ୱାତୀ, ରଂଜୁ ମାଉସୀ ଠୁ ଶୁଣିଥିଲା ସ୍ୱାତୀ ଆଉ ବାବୁଙ୍କ ସମ୍ପର୍କ ବିଷୟରେ। କାନ୍ଥରେ ବି ତାଙ୍କ ଛବି। ଦି ଥର କଟିଗଲା ପରେ ତୃତୀୟ ଥରକୁ ଅସୀମା ଉଠେଇଲା ଫୋନ ଟି। ସେପଟୁ ସ୍ୱାତୀ ହେଲୋ, କହିଲା।
ଅସୀମା କଣ କହିବ ଜାଣି ପାରିଲାନି। ସିଧା କହିଲା – ବାବୁଙ୍କ ଦେହ ଖରାପ,ସେ ଶୋଇଛନ୍ତି।ଉଠିଲେ କଥା ହେବେ ସେ।
ସ୍ୱାତୀ ପଚାରିଲା ତମେ କିଏ? କଣ ବ ଉତ୍ତର ଦେଇଥାନ୍ତା ସେ? ଚୁପ ରହିଲା ଅନ୍ୟମନସ୍କ ହେଇ। କଣ ବା ପରିଚୟ ଦେବ ଏ ସମ୍ପର୍କ କୁ। ସମର୍ପିତ ସମ୍ପର୍କ ର ସଂଜ୍ଞା ଖୋଜି ପାଏନି। ପୁଣି ଥରେ ପଚାରିଲା ସ୍ୱାତୀ, ସେ ଏଥର କହିଲା ମୁଁ ଅସୀମା ।ଆଉ ଫୋନ ରଖିଦେଲା। କିଛି ଶୁଣିବା ଆଗରୁ। ସ୍ୱାତୀ ଏବେ ନିଜର ହିତାହିତ ଜ୍ଞାନ ହଜେଇ ସାରିଥିଲା ରାଗରେ। ଏତେ ଦିନ ଯାଏ କଣ ଦୁଷ୍ମନ୍ତ ତା ସାଙ୍ଗେ, ଛଳନା କରୁଥିଲା। ଆଉ କାହା ସଙ୍ଗେ ସେ ରାତି କାଟବାି ପରେ ଏତେ ସହଜରେ, ଆଉ ମିଛରେ ତା ଆଗେ ଅଭିନୟ କରେ ବିଶ୍ୱସ୍ତ ହେବାର। କେତେ ବଡ ଭୁଲ ସେ ନ କଲା।ଦୁଷ୍ମନ୍ତ ପରି ପିଲା କୁ ମନ ଦେଇ। ସକାଳୁ ଆସି ପହଞ୍ଚିଲା ଦୁଷ୍ମନ୍ତ କ୍ୱାଟର ଆଗରେ। ଗେଟ ଖୋଲି ଭିତରକୁ ଗଲେ ବେଳକୁ, ଅସୀମା ଘର ଓଳାଉଛି। ତାକୁ ଥରେ ଦେଖିଲା ସ୍ୱାତୀ,ରାଗିଲା ଆଖିରେ, ଅସୀମା କିଛି ନ କହି ତଳକୁ ମୁହଁ ପୋତି ଠିଆ ହେଲା। କିଛି ନ କହି ସିଧା ଚାଲିଗଲା ଦୁଷ୍ମନ୍ତ ଶୋଇବା ଘରକୁ।

ଦୁଷ୍ମନ୍ତ ପାଖେ ଯାଇ ବସିଲା ମୁଣ୍ଡରେ ହାତ ଲଗେଇଲା। ଆଉଁସି ଦେଲା। କାମ ସାରି ଆସି ଠିଆ ହେଲା ଅସୀମା, କହିଲା- ଦିଦି , ତୁମ ପାଇଁ ଚା ଆଣିବି? ବାବୁ ତ କାଲିଠୁ ଏମିତି , ମୁଁ ଆସି ତାଙ୍କୁ ଗାଧୁଆଘରୁ ଏଠିକି ଆଣିଲି। ଡାକ୍ତର କହିଛନ୍ତି ଠିକ ନହେଲେ ଆଜି ଡାକ୍ତରଖାନା ଯିବେ। ଏତିକି ଶୁଣିକି, ରାଗରେ ଫାଟି ପଡିଲା ସ୍ୱାତୀ।ଗାଳିଦେଲା ତାକୁ। ପ୍ରେମରେ ପ୍ରାପ୍ତି କୁ ପାଥେୟ କରିଥିବା ଜଣେ ଚରିତ୍ର , ସମର୍ପଣ ର ଗୋଟେ ଛବିକୁ ନିଷ୍ଠୁର ଭର୍ତ୍ସନା କରୁଛି। ଆଉ ମାନବିକତା ମୂଲ୍ୟ ଦେଇ ଜଣେ ଏମିତି ଅସହାୟ ହେଇ ଶୋଇ ରହିଛି। ଅସୀମା ଚୁପଚାପ ଲୁହ ପୋଛିଲା। ଆଉ ରାଗ ତମତମ ସ୍ୱାତୀ ଚାଲିଗଲା ବାହାରକୁ। ଆଉ କେବେ ଖବର ରଖିନି ଦୁଷ୍ମନ୍ତ ର।ଦୁଷ୍ମନ୍ତ କୁ ଏବେ ସେ ଗୋଟେ ପ୍ରକାର ଆଡେଇ ଯାଏ। ସେ ବୁଝେ ସବୁ ଭୁଲ ଦୁଷ୍ମନ୍ତ ର। ଦୁଷ୍ମନ୍ତ ବି ଯେତେ ବୁଝେଇଲେ ଶୁଣିଲାନି। ଆଉ ଅସୀମା ନୂଆ ଚାକିରୀ ଟେ ପାଇଚି। ସବୁବେଳେ ଦୁଷ୍ମନ୍ତ ଙ୍କ କଥା ବୁଝେ, ଯେତେ କାମ ଥିଲେ ବି ଆସେ ସପ୍ତାହରେ ଥରେ। ସମ୍ପର୍କ କୁ ବିରାମ ଲୋଡ଼ା, ସେ ବି ଥକି ପଡେ। ଦୁଷ୍ମନ୍ତ ବୁଝେ ଦିନେ ନା ଦିନେ ପୁଣି ଫେରିବା ତା ସ୍ୱାତୀ ହସ ର ପାଖୁଡା ବିଞ୍ଚିବିଞ୍ଚି, ଅଳସୀ ମନୋଇ ନଈ ପରି ଆସି ଭିଜେଇଦେବ ତା ବାସ୍ନାରେ। ଅସୁମାରୀ ସ୍ବପ୍ନ ସବୁ ଦିନ ଉଡି ଉଡ଼ିବୁଲିବେ ସୁନେଲି ସନ୍ଧ୍ୟାରେ ସହର ସାରା । ସବୁ କଳ୍ପନାରେ ଯବନିକା ଟାଣି, ଦିନେ ସେ ପାଏ ଗୋଟେ ବିବାହ ନିମନ୍ତ୍ରଣ ପତ୍ର । ଯୋଉଥିରେ ଲେଖା ଥାଏ, ‘ସଞ୍ଜୟ weds ସ୍ୱାତୀ’ ଆଉ ଏ ସ୍ୱାତୀ ତାରି ସ୍ୱାତୀ, ଯାହା ପାଇଁ ସେ ଆଜି ବି ପ୍ରତୀକ୍ଷାରେ।

ସମୁଦ୍ର ପାଖ ଏକ ସିମେଣ୍ଟ ବେଞ୍ଚ ରେ ଏକ ବସିଥାଏ ଦୁଷ୍ମନ୍ତ, ଦେଖୁଥାଏ କ୍ଲାନ୍ତ ରବିର ମେଲାଣି ଦୃଶ୍ୟକୁ। ଆଉ କୂଳକୁ ଧାଉଁଥିବା ଢେଉ ମାନଙ୍କୁ। ପଚାରି ବୁଝେ, ତାଙ୍କ ହାଲଚାଲ। ସେ ଉତ୍ତର ଦିଅନ୍ତି । ବୁଝେଇ କୁହନ୍ତି , ସବୁ ପ୍ରେମ ସିନ୍ଦୁର ରେ ସରେନି। କିଛି ବାଟ ଭୁଲେ, ଦୂର ଝାଉଁ ବଣରେ, ଆଉ କିଛି ସମୟର ବିଜନ ବେଳାରେ।କାମ ସାରି ତରତର ହେଇ ଆସିଲା ଅସୀମା ସେଇ ସମୁଦ୍ର କୂଳକୁ। ନିଜକୁ ସାମାନ୍ୟ ସଜାଡି ନେଲା ଦୁଷ୍ମନ୍ତ ପାଖକୁ ଯିବା ପୂର୍ବରୁ। ଯାଇ ବସି ପଡ଼ିଲା ସମେଣ୍ଟ ବେଞ୍ଚରେ, ଦୁଷ୍ମନ୍ତ ଅଲକ୍ଷ୍ୟରେ। ସେ ସେମିତି ଚାହିଁ ରହିଥାଏ ସମୁଦ୍ରକୁ। ଅସୀମା ଆସିବ ବୋଧେ ସେ ଜାଣିପାରିନି । ନୀରବତା ଭାଙ୍ଗି ଅସୀମା ପ୍ରଶ୍ନ କଲା, ଶାମୁକା ମାନଙ୍କ ସାଙ୍ଗେ କଥା ହଉଛ ବାବୁ?ଏବେ ବି ସେ ଦୁଷ୍ମନ୍ତ କୁ ବାବୁ ବୋଲି ଡାକେ। ଦୁଷ୍ମନ୍ତ ନଜ଼ର ନ ଫେରେଇ ଉତ୍ତର ଦେଲା, – ହଁ, ଖୋଜୁଛି ସେ ଭାଗ୍ୟବାନ ଶାମୁକା କୁ ଯେ ସ୍ୱାତୀର ପ୍ରୀତିପୀୟୂଷ କୁ ପାଇଛି। ମିଳିଲେ ପଚାରନ୍ତି ତାକୁ କେଉଁ ତ୍ୟାଗ ତପସ୍ୟା ର ପୁଣ୍ୟରେ ପାଇଛି ସେ ତାକୁ। ଜଳନ୍ତା ଲୁହାକୁ ପାଣିରେ ବୁଡ଼େଇଲା ପରି ଚୁପ୍ ହେଇଗଲା ଅସୀମା।ସେ ମନେମନେ କହି ଉଠିଲା- ବାବୁ,ତାକୁ ଭଲପାଅ ଯେ ତମକୁ ଭଲପାଏ, ଠିକ୍ ଏଇ ବେଳାଭୂମି ପରି ; ଢେଉ ମାଡ଼ରେ ଯେତେ ଓଦା ହେଲେ ବି ସେ ଏବେ ବି ଶ୍ରାବଣ ଅପେକ୍ଷାରେ। ଦୁଷ୍ମନ୍ତ ତା ହାତରେ ଦେଲା ଅଫିସରୁ ପାଇଥିବା ନିମନ୍ତ୍ରଣ ପତ୍ର ଖଣ୍ଡକ ।
ସଞ୍ଜ ବୁଡିଲାଣି କେତେବେଳୁ। ସେମାନେ କିନ୍ତୁ ବସିଥାନ୍ତି ସେଇଠି,ସମୟ ର ଟୁକୁଡା କାଗଜ ଉଡି ଆଙ୍କି ହେଇଯାଏ ସୁନ୍ଦର ଛବିଟିଏ, ଜଣେ ଅମୃତ ପିପାସୁ ତପସ୍ୱୀ ଆଉ ଜଣେ ଅନୁରୁକ୍ତା ନିମଗ୍ନ ଶିଳ୍ପୀ।

ବିଭୁ ସାମନ୍ତ
୯୪୩୭୭୦୧୩୯୩

Leave a Reply

Your email address will not be published. Required fields are marked *