Odia Stories

ଆଉ ଏକ ଆରମ୍ଭ

ଅଳ୍ପ ଦିନର ଗଳ୍ପ:

ହସ୍ପିଟାଲର ବାରଣ୍ଡାରେ ଥିଲା ନୀରବତାର ରାଜୁତି। ଏଇ ନୀରବତା ବି ବେଳେବେଳେ କାମୁଡି ଗୋଡାଏ। ଭିତରୁ ଯେମିତି ଆମକୁ କୋରି ପକାଏ । ମନ ଭିତରେ ଅନେକ ପ୍ରଶ୍ନ ନେଇ ବାରଣ୍ଡାର ଦୈର୍ଘ୍ୟ ମାପୁଥିଲା ସୁଶ୍ରୀ , ଏ ପର୍ଯ୍ୟନ୍ତ ବି ସମ୍ବିତକୁ କଥା ପଦେ ବି କହୁନି ସେ, ମନେମନେ ଅପରାଧିନି ଟେ ବୋଲି ଭାବିନେଇଛି ସେ। ସମ୍ବିତର ଅପ୍ରତ୍ୟାଶିତ ହସ୍ତକ୍ଷେପ କୁ କେବେ ଆଶା କରିନଥିଲା ସେ।ଅଥଚ ସମ୍ବିତ କୁ କିଛି ନକହିଲେ ବି ସେ ସବୁ କରିଦେଉଛି। ଠିକ ଦେବଦୂତ ଟେ ପରି। ସମ୍ବିତ ବନ୍ଧୁତ୍ୱର ବୋଝ ତଳେ ଆହୁରି ଚାପି ହେଇଯାଉଛି ସେ। ଆଗରୁ ସେ କେତେ ଗପେ, ରାତି ସାରିଯାଏ ହେଲେ ଗପ ସରେନି।ଆଜି ସେ କଥା ଆରମ୍ଭ କରିବାକୁ ବିଷୟଟେ ବି ପାଉନି।କୋଉଠୁ ଆରମ୍ଭ କରିବ ଜାଣିପାରୁନି । ଆଗରୁ ତା ନୀରବତାକୁ ଜମା ସଯ୍ୟ କରିପାରେନି ସମ୍ବିତ, ଅଭିମାନ ଭାଙ୍ଗିବାକୁ ତା ଚାରିପଟେ ବୁଲୁଥାଏ,ପୋଷା ବିଳେଇଟେ ଭଳି।କେତେ ହସକଥା କହେ, କେତେ ଅଭିନୟ, ସିନେମା ସଂଳାପ ପରେ ଫିକ କିନା ହସିଦିଏ ସୁଶ୍ରୀ। ହେଲେ ଆଜି ନୀରବତା ର ଛାତ ତଳେ ଦି ଟା ପରିଚିତ ପରଦେଶୀ।

ଲଙ୍ଗବେଞ୍ଚ ର ଗୋଟିଏ କୋଣକୁ ବସିଥାଏ ସମ୍ବିତ। icu ର ଦରଜା କୁ ଚାହିଁ , କେତେବେଳେ ଡକ୍ଟର ଆସିବେ, ଭଲମନ୍ଦ ବୁଝିବ ସେ, କାହିଁ ଏମିତି କରୁଚି ସେ? ଏମିତି କି ଲାଭ ଯେ? କୋଉ ଶକ୍ତି ତାକୁ ପରିଚାଳିତ କରୁଛି ଏସବୁ କରିବାକୁ? ଏଇ କଣ ପ୍ରେମ, ଲିଭି ସାରିଥିବା ଅଙ୍ଗାର ଖଣ୍ଡେ ରେ ଆହୁରି ନିଆଁ ବାକିଅଛି ବୋଧେ। ସେ ଯାହା ହେଉ, ସେ ସୁଶ୍ରୀ ସାଙ୍ଗେ ଶେଷ ଯାଏ ରହିବାକୁ ସଂକଳ୍ପିତ। କୌଣସି ବାଧା ସୁଶ୍ରୀ ପୂର୍ବରୁ ତା ଦେଇ ଯିବ , ସେଇ ଚେଷ୍ଟାରେ ସେ। ଆଖି ଉଠେଇ ଥରେ ଦେଖିଲା ସୁଶ୍ରୀ କୁ, ପାଗେଳି, କାଲି ଯେମିତି ଥିଲା ଆଜି ବ ସେମିତି। ସବୁ ବେଳେ ବଜର ବଜର ହଉଥିବ ପଛେ ନିଜ ଅସୁବିଧା କଥା କେବେ କହିବନି। ପଚାରିଲେ କହିବ ଭୁଲି ଯାଇଛି। ଅଭିନୟ ରେ ଆଗୁଆ ସେ, ଦୁଃଖ ଲୁଚେଇ କେମିତି ହସିବାକୁ ହୁଏ ତାକୁ ବେସ ଜଣା। ଆଜି ବି ବୋଧେ ସେୟା ହେଇଚି। ସେ ଭାବୁଥିବ ସମ୍ବିତ କାହିଁକି ଆଗ ତା ସଙ୍ଗେ କଥା ହଉନି? ସେ କଣ ବୁଝିପାରୁନି ଏ ନୀରବତା ର ଅର୍ଥ।

କିଛି ନକହି ସୁଶ୍ରୀ ବସିପଡ଼ିଲା। ଏବେ ଖୁବ ପାଖରୁ ଦେଖୁଚି ସେ ସୁଶ୍ରୀକୁ, ସେଇ ଆଖି ସେଇ ଓଠ , ବୟସ ର ରଙ୍ଗ ଲାଗି ଆହୁରି ସୁନ୍ଦର ଦିଶୁଚି ସେ, ଦିନେ ସେ ଦିଶୁଥିଲା ପରୀ ଟିଏ ଭଳି, ଏବେ ଦିଶୁଚି ଦେବୀ ଟିଏ ଭଳି। ତା କପାଳରେ ଅନେକ ରେଖା। ଦେବେନ୍ଦ୍ର ଙ୍କ ପାଇଁ ଏସବୁ ବୋଲି ଠିକ ବୁଝିଛି ସମ୍ବିତ।ନହେଲେ ଦୁଃଖର କଣ ଏତେ ସାହସ ଯେ ସୁଶ୍ରୀର ପାଖ ପଶିବ।

ବସି ବସି କେତେବେଳେ ଆଖି ଲାଗିଯାଇଛି ସେ ଜାଣିପାରିନି। ସମ୍ବିତ ଚାହିଁ ରହିଥାଏ ,ଡାକ୍ତର ଙ୍କ ଫେରିବା ବାଟକୁ । କେତେ ସମୟ ପରେ ଫେରିଲେ ଡକ୍ଟର, କହିଲେ ରୋଗୀର ଅବସ୍ଥା ପୁରା ବିପଦଜନକ ,ଭଗବାନ ଙ୍କୁ ଡାକନ୍ତୁ, ରାତି ଟା ପାହିଯାଉ । ସମ୍ବିତ ଡକ୍ଟର ଙ୍କ କଥା ଶୁଣି ଅଜଣା ଆତଙ୍କରେ ପଡିଗଲା, ସେ ଡକ୍ଟରଙ୍କୁ ହାତ ଯୋଡ଼ି କହିଲା ପ୍ଲିଜ଼ କିଛି ଗୋଟେ କରନ୍ତୁ, ଯାହା ଖର୍ଚ୍ଚ ହେବ ହେଉ।କୋହରେ ତଣ୍ଟି ପାଖରେ ଭୀଷଣ କଷ୍ଟ ଲୀଳା ତାକୁ। ଦେବେନ୍ଦ୍ରଙ୍କୁ ବଞ୍ଚେଇ ଦିଅନ୍ତୁ। ଆଖି ଲୁହରେ ଛଳଛଳ,କଣ କରିବ, କେମିତି କହିବ ସୁଶ୍ରୀ କୁ ଏଇ କଥା। ଏଇ ଏବେ ତ ଶୋଇଛି। ସମ୍ବିତ ପରି ଆଶ୍ରା ଟେ ପାଇ। ଡକ୍ଟର ଚାଲିଗଲା ପରେ,ରୁମାଲରେ ମୁହଁ ପୋଛିଲା ସେ। କାନ୍ଦିବା ର ଏକଚାଟିଆ ଅଧିକାର ଝିଅଙ୍କ ପାଖରେ। ପୁଅଟେ କାନ୍ଦିବା ସହଜେ ଗ୍ରହଣ କରଆଯାଏନି। ଲୁହ କୁ କଣ ଅନୁମତି ଲୋଡ଼ା? ଦୁଃଖର ଏଇଟା ଭଲ ଗୁଣ ସେ, ବାଛବିଚାର କରେନି। ସୁଶ୍ରୀ କୁ ଚାହିଁଲା, କେଜାଣି କେତେ ଦିନରୁ ଶୋଇନଥିଲା ସେ। ବିଚାରି କଣ ଜାଣିଛି , ଯେ ଝଡ଼ ଟିଏ ତା ପାଇଁ ଦାନା ବାନ୍ଧୁଛି ।

ସକାଳ ହେଲା ସମ୍ବିତ ସୁଶ୍ରୀର ପାଖ ଛାଡି କୁଆଡେ ଯାଇନି। ସକାଳୁ ନର୍ସ ଆସିକି ଡାକିଲେ ଦେବେନ୍ଦ୍ର ଙ୍କ ସମ୍ପର୍କୀୟଙ୍କୁ ।
ସୁଶ୍ରୀ ଯାଉଯାଉ ସମ୍ବିତ ଧାଇଁଗଲା । ସେମାନେ ସମ୍ବିତ କୁ ଭିତରକୁ ଡାକିଲେ ,ଆଉ କଣ ସବୁ କହିଲେ। ବାହାରକୁ ଆସିଲା ବେଳକୁ ସମ୍ବିତ ର ମୁହଁ ପୁରା ଭାରି ଲାଗୁଛି। ସେ ଆଉ ସୁଶ୍ରୀ ମୁହଁକୁ ଚାହିଁ ପାରୁନି। କହିଲା ତୁ ଟିକେ ଅପେକ୍ଷା କର ମୁଁ ଆସୁଛି। ଯାହାକୁ ଡର ଥିଲା ସେଇଆ ହେଇଛି। ଦେବେନ୍ଦ୍ର ଆଉ ନାହାନ୍ତି, କେତେ ବା ସଂଗ୍ରାମ କରିଥାନ୍ତେ ଯନ୍ତ୍ରଣା ସାଙ୍ଗେ, ଶେଷରେ ସାଲିସ କରିବାକୁ ପଡିଲା ,ଦାମୀ ଔଷଧ, ଡାକ୍ତରଙ୍କ ପରିଶ୍ରମ, ସୁଶ୍ରୀର ପ୍ରାର୍ଥନା ସବୁ ବୃଥା। ମୃତ୍ୟୁ ଡାକିନେଲା ଏମିତି ଜାଗାକୁ, ଯୋଉଠି ଯନ୍ତ୍ରଣା ନାହିଁ କଷ୍ଟ ନାହିଁ ଖାଲି ଆନନ୍ଦର ଦରିଆ ଟେ ଅଛି। ସମ୍ବିତ କେମିତି କହିବ ସୁଶ୍ରୀ କୁ ଏଇ କଥା, ସ୍ନିଗ୍ଧାକୁ ଜଣେଇଲା ,ଡାକିଲା ହସ୍ପିଟାଲକୁ। ତା ସ୍ବାମୀ ଙ୍କ ଠୁ ଅନୁମତି ମାଗିନେଲା। ସ୍ନିଗ୍ଧା ଆସୁ ଆସୁ ଟିକେ ଡେରି ହେଇଗଲା।

କେମିତି ସାମ୍ନା କରିବ ସୁଶ୍ରୀ ର । ସ୍ନିଗ୍ଧା କୁ ଧରି ଫେରିବା ରାସ୍ତାରେ ଅଜସ୍ର ପ୍ରଶ୍ନ ତା ମନରେ ସମୟ ସୁଅରେ ପତର ଟିଏ ପରି ଭାସିଚାଲିଛି ଯାହା। ପରିବେଶ ଆଉ ପରିସ୍ଥିତ ତା ନିୟନ୍ତ୍ରଣ ର ବାହାରେ। ପହଁଚିଲା ବେଳକୁ ଦେଖେ ବାରଣ୍ଡା ଚଟାଣରେ ତଳେ ବସି କାନ୍ଦି କାନ୍ଦି କାହାକୁ ଗାଳି ଦଉଛି, ଆକାଶ କୁ ଚାହିଁ। ସମ୍ବିତ କୁ ଦେଖି ଦୌଡ଼ିଗଲା ତା ପାଖକୁ, ଆଉ ଜୋରେ କାନ୍ଦିବାକୁ ଲାଗିଲା, ଛୋଟ ପିଲାଟେ ପରି ଭିଡି ଧରି। କହିଲା ପ୍ଲିଜ଼ ସମ୍ବିତ କହ ଯେ ଡକ୍ଟର ମିଛ କହୁଛନ୍ତି, ସେ ଭଲ ହେଇଯିବେ ନା? ଚାଲ ଆମେ ତାଙ୍କୁ ଆମ ଘରକୁ ନେଇଯିବା , ମୁଁ ବୁଝିବି ତାଙ୍କ କଥା। ମୋ ସବୁ ସୁନା ଗହଣା ନେଇଯାଅ, ଥରେ ଖାଲି କହ ମତେ ବେବି ବୋଲି ଡାକନ୍ତୁ। ସେ ଚୁପ କଣ ପାଇଁ, ଉଠା ତାଙ୍କୁ। ପ୍ଲିଜ଼ ସମ୍ବିତ ମୁଁ ତୋ ଗୋଡ଼ ଧରୁଛି। ମତେ କ୍ଷମା କରିବୁନି? ପ୍ରତିଶୋଧ ନେ ନା ରେ, ମୋ ଜୀବନ ତା ନେଇଯା ପଛେ।ଚଟାଣ ରେ ଗଡି ଗଲା ସେ। ସ୍ନିଗ୍ଧା ର ଆଶ୍ଵସନା କୋଉ ରୋକି ପାରୁଛି ତାକୁ। ସମ୍ବିତ,ପୁଣି ହାରିଯାଇଛି, ସେଦିନ ନୀୟତି, ଆଜି ଜୀବନ ପାଖରୁ । ଲୁହ କୁ ନିମନ୍ତ୍ରଣ ଆବଶ୍ୟକ ହୁଏନି, ସୁଶ୍ରୀ ଆଖିର ଲୁହ, ତା ଛାତି ଓଦା କରିଦେଇଛି। ଈଶ୍ୱର କଣ ଏତେ ନିର୍ଦୟ ହେଇପାରନ୍ତି? ତାଙ୍କୁ କଣ କାହାକୁ କୈଫିୟତ ଦେବାକୁ ପଡେନି?ସ୍ନିଗ୍ଧା ର ଡାକରେ ପ୍ରକୃତିସ୍ଥ ହେଲା ସେ।

ହସ୍ପିଟାଲ ର ଔପଚାରିକତା ସାରି ଦେବେନ୍ଦ୍ର ଙ୍କ ପାର୍ଥିବ ଶରୀର କୁ ଧରି ସେମାନେ ଗଲେ , ସୁଶ୍ରୀର ଘରକୁ, ଶାଶୂଶଶୁର ଅନେକ ଦିନରୁ ନାହାନ୍ତି। ଆଉ ଯୋଉ ମାନେ କେତେ କାମର ଆଳ ଦେଖେଇ ରହିଗଲେ।ଗାଁ ଲୋକ ମାନେ ବି ଅନେକ କଥା ଶୁଣେଇଲେ ।ମୋଟାମୋଟି ସମ୍ପର୍କ ସେମିତି କିଛି ଭଲ ନଥିଲା, ଏଇ ଅଜଣା ସହରରେ।ସେଥିପାଇଁ ତ ସୁଶ୍ରୀ ଏକା ଥିଲା ହସ୍ପିଟାଲରେ। ହଁ, ଜୀଇଁ ଥିଲା ବେଳେ ତ ଆସିନାହାନ୍ତି, ଆଉ ମଲା ପରେ କଣ ବା ଆଶା କରାଯିବ ତାଙ୍କ ଠୁ। ସମୟ କାହିଁ ଯେ ଏତେ ଭାବିବାକୁ। ସେମାନେ ପୁରୀ ଚାଲିଗଲେ, ସ୍ୱର୍ଗଦ୍ୱାରକୁ । ସମ୍ବିତ ଆଉ ସ୍ନିଗ୍ଧା ମିଶି ଯେମିତି ସେମିତି ଅନ୍ତେଷ୍ଟି କ୍ରିୟା ସାରିଦେଲେ। ଦେବେନ୍ଦ୍ର ଆଉ ସୁଶ୍ରୀଙ୍କ ଝିଅଟିଏ , ଚାରି ବର୍ଷର। ଖାଲି ମା ର ଲୁଗା କାନିକୁ ଧରି ମିଟିମିଟି ଆଖିରେ ଦେଖୁଥାଏ ସବୁ। ଲୁହରେ ସ୍ୱର୍ଗଦ୍ୱାରର ବାଲି ଭିଜିଛି। ଏଇଟା ତା ପାଇଁ କୋଉ ନୂଆ କଥା ଯେ । ସେ କଣ କେବେ ବୁଝେ ପରଦା ପଛର କାହାଣୀ, ନା ଦରକାର ଅଛି ଭବିଷ୍ୟ ଜାଣିବାର, ତା ରାଶିଫଳରେ ସବୁଦିନ ନିଆଁଁ ଆଉ ଅଙ୍ଗାର ହିଁ ଲେଖା। ଜୀବନ ମିଛ ଆଉ ମୃତ୍ୟୁ ସତ୍ୟ ବୋଲି ସମସ୍ତଙ୍କୁ କହିବୁଲେ। ଆଉ ବୁଝାଏ ଏ ମାନଅଭିମାନ, ପ୍ରୀତିପ୍ରଣୟ ସବୁ ଏଇଠି ଛାଡି ଯିବାକୁ ହୁଏ। ଏକାଏକା ଏକ ଅଜଣା ରାଇଜକୁ। ସମୁଦ୍ରର ପବନ ସବୁ ଜାଳିଦେଲା, ଦେଖୁଦେଖୁ ମିଶିଗଲେ ଦେବେନ୍ଦ୍ର ପଞ୍ଚ ଭୁତରେ। ଦିଗବଳୟରେ ସୂର୍ଯ୍ୟ ବୁଡିବାର ଦୃଶ୍ୟ। ସମ୍ବିତ ଦେଖୁଥିଲା ଏ ସବୁ ,କେଜାଣି ସେ ସମୁଦ୍ରର ଶେଷରେ ବୋଧେ ହଜିଯାଇଛି ତା ଉତ୍ତର ନାଆ ଟି। ସୁଶ୍ରୀ ପଛପଟୁ ଅଚାନକ ଭାବେ ଆସି ଭିଡି ଧରିଲା ତାକୁ। ବୈରାଗ୍ୟ କୁ ଜୀବନର ବ୍ରତ କରିଥିବା ସମ୍ବିତ ର ଧଳା ସାର୍ଟ ରେ ଲାଗିଗଲା ସୁଶ୍ରୀ ର ମଥା ସିନ୍ଦୁର।

Leave a Reply

Your email address will not be published. Required fields are marked *